ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦିଏ ବିସ୍ମୟ ମନ୍ଦିର
ପ୍ରେମ ବାଧା ବନ୍ଧନ ମାନି ନ ଥାଏ । କେତେକ ପ୍ରେମୀଯୁଗଳ ଘରୁ ଲୁଚି ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି କରିଥାନ୍ତି ବିବାହ । ତେବେ ସେମାନଙ୍କ ସୁରକ୍ଷା ନେଇ ଅନେକ ସମୟରେ ସୃଷ୍ଟି ହୋଇଥାଏ ସମସ୍ୟା । ହିମାଚଳ ପ୍ରଦେଶରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ପ୍ରେମୀ ଯୁଗଳ ଘରୁ ଲୁଚି ଏଠାରେ ନିଅନ୍ତି ଶରଣ । ଏହା ସେମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ । ହିମାଚଳ ପ୍ରଦେଶରେ କୁଲ୍ଲର ସ୍ଥିତ ଶାଙ୍ଘଡ ଗ୍ରାମରେ ମହାଦେବଙ୍କର ଏକ ମନ୍ଦିର ରହିଛି । ଏଠାରେ ଘରୁ ଲୁଚି ପଳାଇ ଆସିଥିବା ପ୍ରେମୀଯୁଗଳଙ୍କୁ ଆଶ୍ରୟ ମିଳେ । ମହାଦେବ ଶିବଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ । ପ୍ରେମୀଯୁଗଳ ବିବାହ ଉଦ୍ଦେଶ୍ୟରେ ଏହି ମନ୍ଦିରକୁ ଆସିଥାନ୍ତି । ଯେତେ ଦିନ ଯାଏଁ ଏହି ମନ୍ଦିର ପରିସରରେ ରୁହନ୍ତି ସେମାନଙ୍କୁ ମନ୍ଦିର ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଏ । ଏଠାକୁ ପୁଲିସ ମଧ୍ୟ ଆସନ୍ତି ନାହିଁ । ପରିବାର ପକ୍ଷରୁ ଅଭିଯୋଗ କରାଗଲେ ମଧ୍ୟ ପୋଲିସ ମନ୍ଦିର ପରିସରରୁ ପ୍ରେମୀଯୁଗଳକୁ ଗିରଫ କରେନାହିଁ । ମାଦକ ଦ୍ରବ୍ୟ, ଚମଡ଼ା ତିଆରି ଜିନିଷ ମନ୍ଦିର ଭିତରକୁ ନେବାକୁ ବାରଣ କରାଯାଇଥାଏ । ଏଠାରେ ବଡ଼ ପାଟିରେ ମଧ୍ୟ କଥା ହେବାକୁ କରାଯାଏ ମନା । ଏହାଦ୍ୱାରା ଶାନ୍ତି ଭଙ୍ଗ ହେବ ବୋଲି ଲୋକେ କୁହନ୍ତି ।


