ବାଲେଶ୍ୱରରେ କୋଭିଡ ସ୍ଥିତି ସମ୍ପର୍କରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା

ବାଲେଶ୍ୱର (ସରୋଜ ପଣ୍ଡା) : ବାଲେଶ୍ୱର ଜିଲ୍ଲାରେ କୋଭିଡ-୧୯ର ସ୍ଥିତି ଏବଂ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ଶ୍ରୀ ଅନୀଲ କୁମାର ସାମଲ । ସୋମବାର ଦିନ ସ୍ଥାନୀୟ ସର୍କିଟ ହାଉସଠାରେ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ଫକୀରମୋହନ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ରାମଚନ୍ଦ୍ର ଗିରି ପ୍ରମୁଖଙ୍କ ସହ ସେ କୋଭିଡ-୧୯ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଅନ୍ୟ ରାଜ୍ୟ ବିଶେଷ କରି ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କର ପଂଚାୟତୱାରୀ ତାଲିକା ପ୍ରସ୍ତୁତ କରିବା ସହିତ ସେମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ଯେପରିକି ସେମାନେ ଜିଲ୍ଲାକୁ କେବେ ଆସିଲେ, କେଉଁଠାରୁ ଆସିଲେ, ସେମାନଙ୍କ ଫୋନ ନମ୍ବର ଇତ୍ୟାଦି ସଂଗ୍ରହ କରି ତାହାର ଯାଂଚ କରିବାକୁ ସେ କହିଛନ୍ତି । ତେବେ ଗତ ୧୪ ଦିନ ମଧ୍ୟରେ ପଡୋଶୀ ରାଜ୍ୟରୁ ଜିଲ୍ଲାକୁ ଆସିଥିବା ଲୋକମାନଙ୍କୁ ବିଭିନ୍ନ ପଂଚାୟତରେ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଧ୍ୟତାମୂଳକ ଭାବେ ରଖିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସେମାନଙ୍କ ଠାରୁ ନମୁନା(ସାମ୍ପଲ) ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ଲାଗି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ କୁହାଯାଇଛି । ଏହି କ୍ରମରେ ଆଜି ବସ୍ତା ବ୍ଲକର ପ୍ରାୟ ୨୫ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଆଜି ଚିହ୍ନଟ ହୋଇଥିବା ୫ଜଣ ପଜିଟିଭଙ୍କୁ ଚିକିତ୍ସା ପାଇଁ କଟକ ସ୍ଥିତ ଅଶ୍ୱିନୀ ହସପିଟାଲକୁ ପଠାଇଦିଆଯାଇଛି । ଆଜି ସକାଳେ ଆରଡିସି ଶ୍ରୀ ସାମଲ ବାଲେଶ୍ୱର ସହରର ସଂକ୍ରମଣ ପ୍ରତିରୋଧ ଇଲାକା(କଂଟେନମେଂଟ ଜୋନ)କୁ ପରିଦର୍ଶନ କରିଛନ୍ତି । ସେମାନଙ୍କର କଂଟାକ୍ଟ ଟ୍ରେସିଂ ସରିଯାଇଥିବା ବେଳେ ପ୍ରାୟ ୩୦ଜଣଙ୍କର ନମୁନା ତୁରନ୍ତ ପରୀକ୍ଷା ପାଇଁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ କରାଯାଇଥିବା ବିଭିନ୍ନ ବ୍ୟବସ୍ଥା ଏବଂ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ସନ୍ତୋଷ ପ୍ରକାଶ କରିଥିଲେ । ନୀଳଗିରି ବ୍ଲକ ଧରମପୁର ପଂଚାୟତର ରିଗିଡି ଗ୍ରାମରେ ଅଢେଇ ବର୍ଷର ଝିଆ ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯିବା ସହିତ ଆକ୍ଟିଭ ସର୍ଭେଲାନ୍ସ କରାଯାଇଛି । ଘରକୁ ଘର ବୁଲି ସର୍ଭେ କରାଯିବା ସହିତ ସେଠାରୁ ନମୁନା ସଂଗ୍ରହ କରାଯାଇଛି । ସେହି ଅଂଚଳରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ପନିପରିବା ପହଂଚିପାରିବ ତାହାର ବ୍ୟବସ୍ଥା କରିବାକୁ ଆରଡିସି ଶ୍ରୀ ସାମଲ ଅଧିକାରୀମାନଙ୍କୁ କହିଛନ୍ତି । ଆଜି ବାଲେଶ୍ୱରକୁ ଆସିଥିବା ଡିଜିପି ଶ୍ରୀ ଅଭୟଙ୍କ ସହ ଆରଡିସି ଶ୍ରୀ ସାମଲ ସାକ୍ଷାତ କରିବା ସହିତ ପଶ୍ଚିମବଙ୍ଗ ସୀମାକୁ ସିଲ କରିବା ଏବଂ ଅନୁପ୍ରବେଶ ରୋକିବା ସଂପର୍କରେ ଆଲୋଚନା କରିଛନ୍ତି । ଡିଜିପି ଏଥିପ୍ରତି ଦୃଷ୍ଟି ଦେବା ସହିତ କଡା ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସେ ଜଣାଇଛନ୍ତି । କରୋନା ସଂକ୍ରମଣର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ସେ ପ୍ରତ୍ୟକ୍ଷ ତତ୍ୱାବଧାନ କରିଥିବା ବେଳେ ଏଥି ଲାଗି ସବୁ ସ୍ତରରେ ଉଦ୍ୟମ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ