ବିମାନ ମନ୍ତ୍ରଣାଳୟର ‘ବି’ ୱିଙ୍ଗ ସିଲ
ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ନେଇ ଏବେ ଦେଶରେ ମଧ୍ୟ ଏକ ଭୟର ପରିସ୍ଥିତି ସୃଷ୍ଟି ହୋଇଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଧୀରେ ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ମୁକାବିଲା ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ମଧ୍ୟ ନିଆଯାଉଛି । ଏହାରି ଭିତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ‘ବି’ ୱିଙ୍ଗକୁ ସିଲ କରିଦିଆଯାଇଛି । ନୂଆଦିଲ୍ଲୀର ରାଜୀବ ଗାନ୍ଧି ଭବନ ପରିସରରେ ଥିବା ‘ବି’ ୱିଙ୍ଗକୁ ସିଲ କରିଦିଆଯାଇଛି । ପ୍ରକାଶଯେ, ଗତ ୧୫ରେ ମନ୍ତ୍ରଣାଳୟର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ହୋମ କ୍ୱାରେନଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ସକାଳ ୮ଟା ସୁଦ୍ଧାଦେଶରେ ୧୯ ହଜାର ୯୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ହଜାର ୪୭୪ ଜଣ ଏବେ ଚିକିତ୍ସାଧୀନ ଥିବାବେଳେ ୩୮୬୯ ଜଣ ସୁସ୍ଥ ହୋଇଛନ୍ତି। ମୋଟ ୬୪୦ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍ରେ ଦର୍ଶାଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୩୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୦ ଜଣଙ୍କ ମୃତ୍ୟୁ ଘଟିଛି।
କୋଭିଡ-୧୯ଇଣ୍ଡିଆ ୱେବସାଇଟ୍ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏଠାରେ ମୋଟ ୫୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସର୍ବାଧିକ ୨୫୧ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର ପଛକୁ ଗୁଜରାଟରେ ଦ୍ବିତୀୟ ସର୍ବାଧିକ ୨୧୭୮, ରାଜଧାନୀ ନୂଆଦିଲ୍ଲୀରେ ୨୧୫୬, ରାଜସ୍ଥାନରେ ୧୭୩୫, ତାମିଲନାଡୁରେ ୧୫୯୬, ମଧ୍ୟପ୍ରଦେଶରେ ୧୫୫୨, ଉତ୍ତରପ୍ରଦେଶରେ ୧୩୩୭ ଆକ୍ରାନ୍ତ ରହିଛନ୍ତି।


