ବନ୍ତରେ କଡାକଡି ଭାବେ ସଟ୍ ଡାଉନ ପାଳନ: ବାହାରକୁ ବାହିରିଲେନି ଲୋକେ
ବନ୍ତ,(ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବନ୍ତ ବ୍ଲକରେ କରୋନା ସଟ୍ ଡାଉନ୍କୁ ଲୋକମାନେ କଡାକଡି ଭାବେ ପାଳନ କରିଛନ୍ତି । ଶୁକ୍ରବାର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ସ୍ଥାନରେ ଲୋକ ମାନେ ବାହାରକୁ ବାହିରି ନଥିବାର ଦେଖାଯାଇଥିଲା । ସମସ୍ତ ରାସ୍ତାଘାଟ ଶୂନଶାନ୍ ଥିଲା । ବିଭିନ୍ନ ମୁଖ୍ୟ ରାସ୍ତା ସମେତ ଗ୍ରାମାଞ୍ଚଳ ଭିତରେ ପୋଲିସ ପେଟ୍ରୋଲିଂ କରୁଥିବାର ଦେଖାଯାଇଥିଲା । ବନ୍ତ ପୋଲିସ ପକ୍ଷରୁ କେବଳ ଜଣେ ବାଇକ୍ ଚାଳକ କୌଣସି କାର୍ଯ୍ୟରେ ବାହାରକୁ ଆସିଥିବା ବେଳେ ତାଠାରୁ ୧ ହଜାର ଜୋରିମାନା ଆଦାୟ କରିଥିଲା । ଆଉ ସେମିତି କୌଣସି ଗାଡିମୋଟର ରାସ୍ତାରେ ଯାତାୟତ କରୁଥିବାର ଦେଖାଯାଇନଥିଲା । ସେହିପରି କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରାଯାଉଥିବାର ଦେଖାଯାଇଥିଲା । କୌଣସି ଲୋକ ଆଇନ ଉଲଂଘନ କରିନଥିବା ପୋଲିସ ସୂତ୍ରରୁ ଜଣାଯାଇଛି । ବନ୍ତ ପୋଲିସ ପକ୍ଷରୁ ଭଦ୍ରକ-କେନ୍ଦୁଝର ସୀମାନ୍ତ ଚେକ୍ ପୋଷ୍ଟରେ କଡା ପ୍ରହରା ଜାରି ଥିବା ଦେଖା ଯାଇଥିଲା ।


