ଦକ୍ଷତା ବିକାଶ ତାଲିମ କେନ୍ଦକୁ ପରିଦର୍ଶନ କଲେ ଜିଲ୍ଲାପାଳ
ଛତ୍ରପୁର, : ସ୍ଥାନୀୟ ରେଳଷ୍ଟେସନ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରୁକୁ ବୁଧବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରି ସେଠାରେ ପରିଚାଳିତ ହେଉଥିବା ସମସ୍ତ କାର୍ଯ୍ୟକୁ ତଦାରଖ କରିଛନ୍ତି । ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ତାଲିମଧାରୀଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଖାଦ୍ୟକୁ କ୍ୱାଲିଟ୍କୁ ତଦାରଖ କରିଥିଲେ । ସେମାନଙ୍କ ନିମନ୍ତେ ଆବଶ୍ୟକ ଅନୁଯାୟୀ ପାନୀୟ ଜଳ । ବିଶେଷ କରି ଯୁବତୀମାନେ ରହୁଥିବାରୁ ସୁରକ୍ଷାକୁ କଡାକଡି କରିବା ପାଇଁ ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାଲିମ କେନ୍ଦ୍ରରେ ଅଗ୍ନିନିରାପତ୍ତା ଯନ୍ତ୍ର ରହିଛି । କିନ୍ତୁ ବିପଦ ବେଳେ ଏହାକୁ କିପରି ବ୍ୟବହାର କରାଯିବ ତାହା ଉପରେ ସମସ୍ତଙ୍କ ଜ୍ଞାନ ରହିବା ଆବଶ୍ୟକ । ଏଥିନିମନ୍ତେ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସହାୟତା ନେବେ । ତାଲିମ ସହ ଯୁବକ ଯୁବତୀଙ୍କୁ କ୍ରୀଡା ଏବଂ ଯୋଗ ଆଦି କ୍ଷେତ୍ରରେ ସୁଯୋଗ ଦିଆଯିବ । ଏହା ସହିତ ସଦାସର୍ବଦା କେନ୍ଦ୍ରର ପରିସର ସ୍ୱଚ୍ଛତା ରଖିବା ସହ ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି କେନ୍ଦ୍ରରେ ୭୦ ଜଣ ଯୁବତୀଙ୍କ ସମେତ ୧୫୬ ଜଣ ତାଲିମ ଗ୍ରହଣ କରୁଛନ୍ତି । ସେମାନଙ୍କ ନିମନ୍ତେ ରହିବା ଓ ଖାଇବା ମାଗଣା ବ୍ୟବସ୍ଥା କରାଯାଇଥିବା ବେଳେ ଡୋମେଷ୍ଟିକ୍ ଇଲେକ୍ଟ୍ରିସିଆନ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ସୁଇିଂ ମେସିନ୍ ଅପେରେଟର ଦୁଇଟି ଟ୍ରେଡ୍ର ତାଲିମ ପ୍ରଦାନ କରାଯାଉଛି । ଏହାପରେ ଜିଲ୍ଲାପାଳ ନିକଟରେ ଥିବା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ଚାଲିଥିବା ଅନ୍ୟ ଏକ ଦକ୍ଷତା ବିକାଶ କେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରି ସେଠାର ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ । ସେଠାରେ ୭୦ ଜଣ ଯୁବକ/ଯୁବତୀ ତାଲିମ ଗ୍ରହଣ କରୁଛନ୍ତି । ସ୍ୱାସ୍ଥ୍ୟସେବା(ଏଫ୍ ଏଣ୍ଡ ବି) ଏବଂ ଇଣ୍ଡଷ୍ଟ୍ରିଆଲ୍ ସୁଇିଂ ମେସିନ୍ ଅପେରେଟର ଦୁଇଟି ଟ୍ରେଡ୍ର ତାଲିମ ପ୍ରଦାନ ଚାଲିଛି । ଜିଲ୍ଲାପାଳଙ୍କ ତଦାରଖ ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ, ଜିଏମ୍ ଡିଆଇସି ସୂର୍ଯ୍ୟମାଧବ ପାଣିଗ୍ରାହୀ, ନିୟୋଜନ ବିଭାଗର ଆଞ୍ଚଳିକ ସହକାରୀ ନିର୍ଦ୍ଦେଶକ ଆର୍.ଏମ୍.ଖୀଲାନା, ଓଆରମାସ୍ ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।


