ସାମାନ୍ୟ ବଚସାକୁ ନେଇ ଖମାରୀସାହିରେ ସଂଘର୍ଷ ୨୦ରୁ ଉର୍ଦ୍ଧ ଆହତ,୨ଗୁରୁତର ୧୧ଜଣ ଅଟକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଆର.ଉଦୟଗିରି ଥାନାର ଖମାରୀସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ଗ୍ରାମର ୨ସାହିବାସୀନ୍ଦା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇ ୨୦ରୁ ଉର୍ଦ୍ଧ ଜଣ ଆହତ ଏବଂ ୨ଜଣ ଅତ୍ୟନ୍ତ ଗୁରୁତର ହୋଇଛନ୍ତି । ଏହି ୨ଜଣଙ୍କୁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସଂଘର୍ଷ ନେଇ ୨ ସାହିରୁ ଆର.ଉଦୟଗିରି ଥାନାରେ ୧୧ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ସଂଘର୍ଷ ଓ ଉତ୍ତେଜନାକୁ ପ୍ରଶମିତ ପାଇଁ ଖମାରୀସାହି ଗ୍ରାମରେ ଏକ ସେକ୍ସନ୍ ପୋଲିସ ମୁତୟନ ଅଛନ୍ତି । ଘଟଣା ନେଇ ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଏବଂ ଆଇଆଇସି ମମତା ନାୟକ କହିଛନ୍ତି,ଆଜି ସକାଳେ ଖମାରୀସାହି ଗ୍ରାମରେ ସାମନ୍ୟ ବଚସାକୁ ନେଇ ୨ ସାହି ବାସୀନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଓ ସଂଘର୍ଷର ସୁତ୍ରପାତ ହୋଇଥିଲା । ଉଭୟ ସାହିବାସିନ୍ଦା ଦୀର୍ଘ ବର୍ଷ ଧରି ଏକ ଗ୍ରାମରେ ବସବାସ କରି ଆସୁଥିଲେ ସୁଦ୍ଧା ନିଜନିଜ ମଧ୍ୟରେ ମାନବିକତାକୁ ଭୁଲିଯାଇ ଢେଲା ପଥର ମାଡ କରିବା ସହ ଠେଙ୍ଗା ଓ ବାଡିରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ । ଏଥିରେ ପ୍ରାୟ ୨୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇ ଚନ୍ଦ୍ରଗିରି ଓ ଆର.ଉଦୟଗିରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏମାନଙ୍କ ମଧ୍ୟରୁ ମଧୁସ୍ମୀତା ନାୟକ ଓ ରାମ ପାଇକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଖବର ପାଇବା କ୍ଷଣୀ ଆର.ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ସେକ୍ସନ୍ ଫୋର୍ସକୁ ଶାନ୍ତି ଫେରାଇ ଆଣିବା ପାଇଁ ମୁତୟନ କରାଯାଇଛି । ଘଟଣା ନେଇ ୨ ସାହି ବାସୀନ୍ଦାଙ୍କ ମଧ୍ୟରୁ ୧୧ଜଣଙ୍କୁ ଆର.ଉଦୟଗିରି ଥାନାକୁ ଆଣି ଅଟକ ରଖାଯାଇଛି । ଖବର ଲେଖିବା ସୁଦ୍ଧା ତଦନ୍ତ ଜାରି ରହିଥିବା ଯୋଗୁଁ ଗିରଫ ହୋଇଥିବା ନେଇ କୌଣସି ସୁଚନା ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ