ଢୁଙ୍କାପଡ଼ା ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ା ଗ୍ରାମର ଗୁପ୍ତେଶ୍ଵର ନୋଡାଲ ବିଦ୍ୟାପୀଠର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହିଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ହଠାତ ମୃତ୍ୟୁ ଘଟିଥିବା ଜଣାପଡିଛି। ଗତ ତିନିଦିନ ପୂର୍ବେ ପୋଲସରା ବ୍ଲକ ମଧୂପଲ୍ଲୀ ଗ୍ରାମର ପ୍ରଫୁଲ କୁମାର ବେହେରା ସୁରାଟରୁ ଫେରି ଢୁଙ୍କାପଡ଼ା ନୋଡାଲ ହାଇ ସ୍କୁଲର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିଲେ।ସୁରାଟରୁ ଫେରିବା ପରେ ପ୍ରଫୁଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିବାରୁ ବ୍ରହ୍ମପୁରକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମ୍ବୁଲାନ୍ସ ମଗାଯାଇଥିଲା। ହେଲେ ଆମ୍ବୁଲାନ୍ସ ଆସିବା ପୂର୍ବରୁ ଖାଇବା ପାଇଁ ହାତରେ ଭାତ ଥାଳି ଧରିଥବା ବେଳେ ହଠାତ ପ୍ରଫୁଲ ବେହେରା (୪୫) ଟଳିପଡି ମୃତ୍ୟୁ ବରଣ କରିଥିଲେ।ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପୋଲସରା ଆଇଆଇସି ଜିତେନ୍ଦ୍ର ମଲିକ, ପୋଲସରା ବିଡ଼ିଓ ଶମ୍ବୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ କୁମାର ମିଶ୍ର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ।ପ୍ରଫୁଲଙ୍କ ମର ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ସ୍ବର୍ଗତ ପ୍ରଫୁଲଙ୍କ କେବଳ ୪ଟି ଝିଅ ଥିବାବେଳେ ସେ ଅତ୍ୟନ୍ତ ଗରିବ ବ୍ୟକ୍ତି ଥିଲେ। ବିଧାୟକ ଶ୍ରୀ ବେହେରା ମୃତକଙ୍କ ପରିବାରକୁ ସ୍ୱନ୍ତନା ଦେବାସହ ସମବେଦନା ଜଣାଇବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ