ଗଜପତିକୁ ଫେରିଛନ୍ତି ୧୮୫ ଜଣ ପ୍ରବାସୀ ୫୬୨ ସ୍ୱାବରୁ ୪୯୯ ନେଗେଟିଭ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତକାଲି ରାତ୍ର ସୁଦ୍ଧା ବାହାର ରାଜ୍ୟରୁ ଗଜପତି ଜିଲ୍ଲାକୁ ମୋଟ ୧୮୫ ଜଣ ପ୍ରବାସୀ ଫେରିଥିବା ସୁଚନା ମିଳିଛି । ସେହିପରି ଗତକାଲି ରାତ୍ର ସୁଦ୍ଧା ଗଜପତି ଜିଲ୍ଲାରୁ ମୋଟ ୫୬୨ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ରିପୋର୍ଟ ପାଇଁ ପଠାଯାଇଥିଲା । ଏଥିରୁ ୪୯୯ଜଣଙ୍କ ରିପୋର୍ଟ ପହଞ୍ଚିଛି । ସମସ୍ତେ ନେଗେଟିଭ୍ ଥିବା ଜଣାଯାଇଛି । କେରଳ,ଆନ୍ଧ୍ର ଆଦି ବିଭିନ୍ନ ବାହାର ରାଜ୍ୟରୁ ଗଜପତି ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୧୮୫ ଜଣ ପ୍ରବାସୀ ଫେରିଛନ୍ତି । ଏମାନଙ୍କୁ ଗଜପତି ଜିଲ୍ଲାର ବିଭିନ୍ନ କରେଣ୍ଟାଇନରେ ରଖାଯାଇଛି । ଗଜପତି ଜିଲ୍ଲାକୁ କରୋନା ମୁକ୍ତ ଜିଲ୍ଲା ଭାବେ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପାଳ ଅନୁପମ ଶାହା ସାଧାରଣଙ୍କୁ ଲକ୍ଡାଉନ୍ ନିୟମ ମାନି ନିଜ ଘରେ ରହିବା ପାଇଁ ଆହ୍ୱାନ ଦେଇଛନ୍ତି । ବିଶେଷକରି ଗଜପତି ଜିଲ୍ଲାର ପଡୋଶୀ ଗଞ୍ଜାମ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ କରୋନା ସଂକ୍ରମଣ ଦେଖାଦେଇଛି । ତେଣୁ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳ ସହ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଅନେକ ନାକା ପଏଣ୍ଟ ରହିଛି । ଯେପରି ଗଜପତିକୁ କେହି ପ୍ରବେଶ କରି ନ ପାରନ୍ତି ସେଥିପାଇଁ ନାକା ପଏଣ୍ଟ ରେ ୨୪ଘଣ୍ଟିଆ ପୋଲିସ ସଜାଗ ବ୍ୟବସ୍ଥାକୁ କଡାକଡି କରାଯାଇଛି ।


