ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା -ସହାୟିକା ସଙ୍ଘର ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା -ସହାୟିକା ସଙ୍ଘ(ଏ.ଆଇ.ଟି.ୟୁ.ସି.) ଜିଲ୍ଲା କମିଟି ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆଗରୁ ବାକିଥିବା ୨୮ମାସର ଦରମା ୨୦୦୯ ମସିହା ଡିସେମ୍ବରମାସ ଠାରୁ ୨୦୧୨ ମସିହା ମାର୍ଚ୍ଚମାସ ପର୍ଯ୍ୟନ୍ତ ତୁରନ୍ତ ଲକଡାଉନ ସମୟରେ ପ୍ରଦାନ କରାଯିବା,ମଧ୍ୟାହ୍ନ ଭୋଜନ ଦ୍ୱାରା ପିଲାମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ସହିତ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହାଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିଜର ଲକ୍ଷ୍ୟ ପୁରଣରେ ସଫଳ ହୋଇପାରିଛନ୍ତି । ବର୍ତ୍ତମାନ କୋଭିଡ – ୧୯ ସମୟରେ ପାଚିକାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏଭଳି ବିପଦ ସମୟରେ ସରକାର ପାଚିକାମାନଙ୍କୁ ଅପ୍ରେଲ,ମଇ ଓ ଜୁନ ମାସର ଦରମା ପ୍ରଦାନ କରନ୍ତୁ,ଯେଉଁ ପାଚିକାମାନେ ଚାକିରୀରେ ନାହାନ୍ତି,ମୃତ୍ୟୁ ହୋଇଯାଇଛି ବା ସ୍କୁଲ ମିଶ୍ରଣ ପରେ ବାଦ ପଡିଛନ୍ତି ସେମାନଙ୍କୁ ୨୮ମାସର ଦରମା ପ୍ରଦାନ ସମୟରେ ସ୍କୁଲରେ ତାଙ୍କର କାର୍ଯ୍ୟ ସମୟକୁ ଦେଖି ଅର୍ଥ ପ୍ରଦାନ କରାଯାଉ,ଏହି କାର୍ଯ୍ୟର ସଫଳତା ପାଇଁ ସଙ୍ଘକୁ ସାମିଲ କରାଯିବା,୩ବର୍ଷ ତଳେ ଗୋଟିଏ ମାତ୍ର ଶାଢୀ ପାଇଁ ୨୫୦ଟଙ୍କା ଦିଆଯାଇଥିବା ବେଳେ ବର୍ତ୍ତମାନ ଦୁଇଖଣ୍ଡ ଶାଢୀ ପାଇଁ ଅନୁନ୍ୟ ଏକହଜାର ଟଙ୍କା ପ୍ରଦାନ କରାଯିବା,ମାସିକ ଦରମା ୧୪୦୦ଟଙ୍କାକୁ ବୃଦ୍ଧି କରାଯାଇ ତୁରନ୍ତ ଦରମା ପ୍ରଦାନ କରାଯିବା ଏବଂ ସ୍କୁଲ ମିଶ୍ରଣ ହେତୁ ଯେଉଁ ପାଚିକାମାନେ ନିଯୁକ୍ତି ପାଇ ନାହାନ୍ତି ସେମାନଙ୍କୁ ତୁରନ୍ତ ନିଯୁକ୍ତି ସହ ବାକି ଦରମା ପ୍ରଦାନ କରାଯିବା ପ୍ରଭୃତି ଦାବି ରହିଛି । ସଙ୍ଘର ଉପଦେଷ୍ଟା ତଥା ଏ.ଆଇ.ଟି.ୟୁ.ସି. ନେତା ରମଣିରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସଙ୍ଘର ଜିଲ୍ଲା ସଭାପତି ସୁହାନା ବେଗମ, କାର୍ଯ୍ୟକାରୀ ସଭାପତି ଗଜେନ୍ଦ୍ର ନାୟକ, ଜିଲ୍ଲା ସମ୍ପାଦିକା ସୈାଭାଗିନୀ ପତି,ମାର୍ଶାଘାଇ ବ୍ଲକ ସଭାପତି ଦମୟନ୍ତୀ ସାମଲ,ଡେରାବିଶି ବ୍ଲକ ସଭାପତି ଅନିତା ଜେନା,ସୁଶାନ୍ତ ବାରିକ ପ୍ରମୁଖ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂହଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।


