ଟାଟାଷ୍ଟିଲ ପକ୍ଷରୁ ଭୂତତ୍ତ୍ୱବିଦ୍ ପି ଏନ୍ ବୋଷଙ୍କୁ ଡିଜିଟାଲ ଶ୍ରଦ୍ଧାଞ୍ଜଳୀ
ଯୋଡ଼ା, (ଓ୍ବାଇଏନ୍ଏସ୍) କୋଭିଡ଼-୧୯ ଲକ୍ ଡାଉନ୍ ଚାଲିଥିବା ସମୟରେ ପ୍ରମୁଖ ଭୂତତ୍ତ୍ୱବିଦ୍ ପ୍ରମଥ ନାଥ ବୋଷଙ୍କୁ ଟାଟାଷ୍ଟିଲ ପକ୍ଷରୁ ପ୍ରଥମ ଥର ପାଇଁ ତାଙ୍କ ୧୬୫ତମ ଜନ୍ମବାର୍ଷିକୀ ଅବସରରେ ଡିଜିଟାଲ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସକାଳେ ଡିଜିଟାଲ ଶ୍ରଦ୍ଧାଞ୍ଜଳୀ ସହିତ ଦିନର ଆରମ୍ଭ ହୋଇଥିଲା ।ଏଥିରେ କମ୍ପାନୀର ପ୍ରାୟ ୪୫୦ଜଣ କର୍ମଚାରୀ ଇଣ୍ଟ୍ରାନେଟ୍ରେ ଲଗ୍ଇନ୍ କରିବା ସହିତ ପି ଏନ୍ ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ପରେ ଭାରତ ସରକାରଙ୍କ ଇଣ୍ଡିଆନ୍ବ୍ୟୁରୋ ଅଫ୍ ମାଇନ୍ସର ପ୍ରମୁଖ ଖନନ ଭୂତତ୍ତ୍ୱବିଦ୍ ଶ୍ରୀ ଏସ୍କେ ଅଧିକାରୀଙ୍କ ଦ୍ୱାରା ‘୫ ଟ୍ରିଲିୟନ୍ ଅର୍ଥବ୍ୟବସ୍ଥା ହାସଲରେ ଖଣିର ଭୂମିକା’ ଉପରେ ଡିଜିଟାଲ ସମ୍ମିଳନୀର ଆୟୋଜନ କରାଯାଇଥିଲା ।ଏହା ବ୍ୟତୀତ କମ୍ପାନୀ ପକ୍ଷରୁ ଇଣ୍ଟ୍ରାନେଟ୍ରେ ‘ରକ୍ଶୋ’ ନାମରେ ଏକ ଇ-ପ୍ରଦର୍ଶନୀର ଆୟୋଜନ କରାଯିବାସହିତ ପି ଏନ୍ ବୋଷ ଓ ତାଙ୍କ ଜୀବନ ଉପରେ ଏକ ପୋଡକାଷ୍ଟ କରାଯାଇଥିଲା । ଡିଜିଟାଲ ଶ୍ରଦ୍ଧାଞ୍ଜଳୀ ଅର୍ପଣକରିବା ପରେ କଞ୍ଚାମାଲ ବିଭାଗର ଭାଇସ ପ୍ରେସିଡେଂଟ ଶ୍ରୀ ଡିବି ସୁନ୍ଦରର ମମ ଇଣ୍ଟ୍ରାନେଟ୍ର ହୋମ୍ ପେଜ୍ର କମେଣ୍ଟ ବକ୍ସରେ ନିଜ କମେଣ୍ଟ ପୋଷ୍ଟ କରି ଲେଖିଥିଲେ “ପି ଏନ୍ ବୋଷ ଜଣେ ଉଲ୍ଲେଖ ନୀୟ ଭୂତତ୍ତ୍ୱବିଦ୍ ଥିଲେ । ଭାରତର ଔଦ୍ୟୋଗିକ ଯାତ୍ରାକୁରୂପ ଦେବାରେ ତାଙ୍କର ଭୂତତ୍ତ୍ୱ ସମ୍ପର୍କିତ ଆବିଷ୍କାର ଏକ ଗୁରୁତ୍ୱପୂର୍ଣ୍ଣଭୂମିକା ନିର୍ବାହକରିଥିଲା” । ସେହିପରି ଟାଟା କର୍ମଚାରୀ ସଂଘର ସଭାପତି ଶ୍ରୀ ଆରରବି ପ୍ରସାଦ ଇଣ୍ଟ୍ରାନେଟ୍ରେ ନିଜର ବାର୍ତ୍ତା ପୋଷ୍ଟ କରିବା ସହିତ ଲେଖିଥିଲେ, “କରୋନା ଭାଇରସ୍ ଭଳି ଏକ ସଂକଟପୂର୍ଣ୍ଣ ପରିସ୍ଥିତିରେ ଡିଜିଟାଲ ମିଡ଼ିଆ ଦ୍ୱାରା ଆଦର୍ଶ ବ୍ୟକ୍ତିତ୍ୱଙ୍କ ସ୍ମୃତିଚାରଣ ଏକ ଭଲ ପଦକ୍ଷେପ । ଜନ୍ମବାର୍ଷିକୀ ଅବସରରେ ମୁୁଁ ପି ଏନ୍ ବୋଷଙ୍କ ସ୍ମୃତିଚାରଣ କରିବାସହିତ କେବଳ ଟାଟାଷ୍ଟିଲ କାହିଁକି ଜାମସେଦପୁର ଓ ଦେଶ ନିମନ୍ତେ ଯୋଗଦାନ ପାଇଁତାଙ୍କୁ ଧଦ୍ୟବାଦ ଜଣାଉଛି । ସେ ସର୍ବଦା ଆମ ହୃଦୟରେ ରହିବେ” । ୧୮୫୫ ମସିହାମେ ୧୨ ତାରିଖରେ ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ଦୂର୍ଗମ ଗ୍ରାମ ଗଇପୁରରେ ଜନ୍ମ ଗ୍ରହଣ କରିଥିବା ପି ଏନ୍ ବୋଷ ଲଣ୍ଡନ ବିଶ୍ୱ ବିଦ୍ୟାଳୟରୁ ବିଜ୍ଞାନ ବିଭାଗରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିବା ସହିତ ୧୮୭୮ ମସିହାରେ ରୟାଲ ସ୍କୁଲ ଅଫ୍ ମାଇନ୍ସରୁ ଉତୀର୍ଣ୍ଣ ହୋଇଥିଲେ । ଭୂ ତତ୍ତ୍ୱବିଦ୍ ଥିବା ସମୟରେ ସେ ମଧ୍ୟପ୍ରଦେଶର ଧୁଲ୍ଲି ଓ ରାଜହରାରେ ଲୁହାପଥର ଖଣି ଆବିଷ୍କାର କରିଥିଲେ । ମୟୁରଭଞ୍ଜର ଗୋରୁ ମାହିସାନୀ ପାହାଡ଼ରୁ ଲୁହାପଥର ଆବିଷ୍କାର କରିବା ତାଙ୍କ ଜୀବନର ସବୁଠାରୁ ଉଲ୍ଲେଖନୀୟ ସଫଳତା ଥିଲା । ଏହି ଆବିଷ୍କାର ପରେ ପି ଏନ୍ ବୋଷ ୧୯୦୪ ମସିହା ଫେବୃଆରୀ ୨୪ ତାରିଖରେ ଜେଏନ୍ ଟାଟା (ଟାଟାଷ୍ଟିଲର ପ୍ରତିଷ୍ଠାତା)ଙ୍କୁ ଏକ ପତ୍ରଲେଖିଥିଲେ ଏବଂ ଏହାର ଫଳସ୍ୱରୁପ ୧୯୦୭ ମସିହା ଅଗଷ୍ଟ ୨୬ ତାରିଖ ଦିନ ସ୍କାଚିଠାରେ ଟାଟା ଲୌହ ଓ ଇସ୍ପାତ କମ୍ପାନୀ ପ୍ରତିଷ୍ଠା ହୋଇଥିଲା । ପି ଏନ୍ ବୋଷ ପ୍ରଥମ ବ୍ୟକ୍ତିଭାବେ ଅନେକ କିଛି ଆବିଷ୍କାର କରିବାର କୃତିତ୍ୱ ଅର୍ଜନ କରିଛନ୍ତି । ସେ ପ୍ରଥମ ବ୍ୟକ୍ତି ଭାବେ ଲଣ୍ଡନ୍ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ବିଭାଗରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ, ପ୍ରଥମେ ଆସାମରେ ପେଟ୍ରୋଲିୟମ୍ ଆବିଷ୍କାର କରିଥିଲେ, ଭାରତରେ ପ୍ରଥମ ସାବୁନ କରଖାନା ପ୍ରତିଷ୍ଠା କରିଥିଲେ ଓ ପେଟ୍ରୋଲୋଜିକାଲ କାର୍ଯ୍ୟରେ କ୍ଷୁଦ୍ର ବିଭାଗ ଗୁଡ଼ିକ ସାମିଲ କରିଥିଲେ । ଏହା ସହିତ ସେ ପ୍ରଥମ ଭାରତୀୟ ଭାବେ ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗରେ ଗ୍ରେଡେଡ୍ ସ୍ଥାନରେ ରହିବା ସହିିତ ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦନ କରିଥିଲେ । ଏକ ବିଜ୍ଞାନ ମଣିଷ ହୋଇଥ୍ବାରୁ ସେ ଦେଶରେ ବୈଷୟିକ ଶିକ୍ଷାର ପ୍ରସାର ଉପରେ ସର୍ବଦା ଗୁରୁତ୍ୱାରୋପ କରିଥିଲେ । ତାଙ୍କର ଉଦ୍ୟମ ଫଳରେ ବେଙ୍ଗଲ ବୈଷୟିକ ଅନୁଷ୍ଠାନର ମୂଳଦୁଆ ପଡିଥିଲା, ଯାହାକି ଯାଦବପୁର ବିଶ୍ୱବିଦ୍ୟାଳୟ ଭାବେ ବେଶ ପରିଚିତ । ଶ୍ରୀ ବୋଷ ଉକ୍ତ ବିଶ୍ୱବିଦ୍ୟାଳୟର ପ୍ରଥମ ସମ୍ମାନୀୟ ଅଧ୍ୟକ୍ଷ ଥିଲେ ।


