କର୍ମ ଦିବସ ୧୨ ଘଣ୍ଟା ବୃଦ୍ଧି ବିରୋଧରେ ଏଆଇଟିୟୁସି ପକ୍ଷରୁ ପ୍ରତିବାଦ
ଯୋଡା (ସମୀର କୁମାର ଦାସ) : କର୍ମ ଦିବସକୁ ୧୨ ଘନ୍ଟା ବୃଦ୍ଧି କରିବା ନିଷ୍ପତି ପ୍ରତିବାଦରେ ଶ୍ରମିକ ସଂଗଠନ ଅଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ(ଏଆଇଟିୟୁସି) ପକ୍ଷରୁ ଏକ ପ୍ରତିବାଦ ସମାବେଶ ଆୟୋଜନ କରାଯାଇଥିଲା । ଏଆଇଟିୟୁସି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ତା ୦୮/୦୫/୨୦୨୦ ରିଖରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଭାବେ ଶ୍ରମିକ ମାନଙ୍କ ଦୈନିକ ଶ୍ରମ ସମୟକୁ ୮ ଘନ୍ଟା ପରିବର୍ତେ ୧୨ ଘନ୍ଟାକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି । ଫ୍ୟାକ୍ଟରି ଆକ୍ଟ(୧୯୪୮) ଅନୁଯାୟୀ ଶ୍ରମ ସମୟ ଦୈନିକ ୮ ଘନ୍ଟା ସ୍ଥିର କରାଯାଇଛି । କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଶ୍ରମ ସମୟ ଦୈନିକ ୮ ଘନ୍ଟାରୁ ୧୨ ଘନ୍ଟାକୁ ବୃଦ୍ଧି କରାଯିବା ପାଇଁ ଉଦ୍ୟମ କରାଯାଉଛି । କରୋନା ସଂକ୍ରମଣ ଜନୀତ ଲକଡାଉନ୍ ଯୋଗୁ ସାରା ଭାରତରେ ୧୨ କୋଟି ୨୦ ଲକ୍ଷ ଶ୍ରମିକ କାର୍ଯ୍ୟହରା ହୋଇଥିବା ବେଳେ ଓଡିଶାରେ ପ୍ରାୟ ୪୫ ଲକ୍ଷ ଶ୍ରମିକ କାର୍ଯ୍ୟହରା ହୋଇଛନ୍ତି । ଅନେକ ଆତ୍ମନିଯୁକ୍ତି ବ୍ୟକ୍ତି ରୋଜଗାର ଶୂନ୍ୟ ହୋଇଛନ୍ତି । ତେବେ ଏହି ଭଳି ଏକ ଘଡିସନ୍ଧି ମୂହୁର୍ତରେ ଦୈନିକ ଶ୍ରମ ସମୟକୁ ୮ ଘନ୍ଟାରୁ ୧୨ ଘନ୍ଟାକୁ ବୃଦ୍ଧି କଲେ ବେକାରୀ ସମସ୍ୟା ଆହୁରି ଉତ୍କଟ ହେବ ବୋଲି ଏଆଇଟିୟୁସିର ଶ୍ରମିକ ନେତା କପିଳ ପ୍ରସାଦ ମହାନ୍ତି କହିଛନ୍ତି । ସାମାଜିକ ଦୂରତ୍ୱ ରକ୍ଷା କରି ଏକ ଫ୍ଲାକାର୍ଡ ସୋ ଜରିଆରେ ପ୍ରତିବାଦ କରାଯାଇଥିଲା । ଏହି ପ୍ରତିବାଦ ସମାବେଶରେ ଶ୍ରମିକ ନେତା ହୃଦାନନ୍ଦ ପ୍ରଧାନ, ମନୋଜ ବାରିକ, ଅନୀଲ ଚାତମ୍ବା, କୁନା କାରୁଆ, କୁନା ବେହେରା, ଭାନୁ ଓରାମ, ବିଜୁ ଦେଓ ପ୍ରମୁଖ ଯୋଗ ଦେଇଥିଲେ ।


