ସାମ୍ବାଦିକ ସୁକାନ୍ତଙ୍କୁ ଅଶ୍ରୃଳପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

ବ୍ରହ୍ମପର (ୱାଇଏନ୍‌ଏସ୍‌): ଯାତସ୍ୟ ଧୃବ ମୃତ୍ୟୁ । ଜନ୍ମ ହୋଇଥିଲେ ମରଣ ସୁନିଶ୍ଚିତ । ମାତ୍ର ଯଦି ଏହି ମୃତ୍ୟୁ ସମୟ ପୂର୍ବରୁ ଗ୍ରାସ କରେ, ତେବେ ଏହା ଦେଇଯାଏ ଅଶୁମାରି ଦୁଃଖ ଓ ଯନ୍ତ୍ରଣା । ଏଭଳି ଘଟଣା ଘଟିଛି ଜଣେ ବ୍ୟକ୍ତିଙ୍କ ପକ୍ଷରେ ଯିଏକି ସାମ୍ବାଦିକତାକୁ ନିଜ କ୍ୟାରିୟର ଭାବରେ ଚୟନ କରି ଗଢ଼ିଥିଲେ ନିଜର ଏକ ସୁନାର ସଂସାର । ସେ ହେଉଛନ୍ତି ବ୍ରହ୍ମପୁର ସାମ୍ବାଦିକ ସୁକାନ୍ତ ପାଣିଗ୍ରାହୀ, ସଂସାର କହିଲେ ନିଜର ସ୍ତ୍ରୀ ଓ ଗୋଟିଏ ଝିଅ । ତିନି ପ୍ରାଣୀଙ୍କୁ ନେଇ ଖୁବ୍ ଖୁସିରେ ଚାଲିଥିଲା ତାଙ୍କର ଦୈନନ୍ଦିନ ଜୀବନ । ୨୦୦୦ ମସିହାରେ ବ୍ରହ୍ମପୁର ୟୁଟିଭିରୁ କ୍ୟାମେରା ମ୍ୟାନ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ସୁକାନ୍ତ ତାଙ୍କର ଅଦମ୍ୟ ଓ ଦୃଢ଼ ଇଚ୍ଛାଶକ୍ତି ଏବଂ ସାମ୍ବାଦିକତା ପ୍ରତି ତାଙ୍କର ଯେଉଁ ଉତ୍କଣ୍ଠା ଥିଲା, ତାହାରି ବଳରେ ସେ ଏକ ପ୍ରତିଷ୍ଠିତ ଘରୋଇ ଚ୍ୟାନେଲ୍‌ର ଜଣେ ଭଲ ସାମ୍ବାଦିକ ହୋଇପାରିଥିଲେ । କୁନି ଝିଅ ଓ ସ୍ତ୍ରୀଙ୍କୁ ନେଇ ଖୁବ ଖୁସିରେ ଚାଲିଥିଲା ସୁକାନ୍ତଙ୍କ ସଂସାର । ମାତ୍ର ୨୦୧୮ ମସିହାରେ ସୁକାନ୍ତଙ୍କ ହସଖୁସି ପରିବାର ଉପରେ ପଡିଥିବା ଯବନୀକା, ଯେତେବେଳ ସେ ଜାଣିବାକୁ ପାଇଥିଲେ ଯେ ସେ ଟଙ୍ଗ୍ କ୍ୟାନ୍ସର୍ ରୋଗରେ ଆକ୍ରାନ୍ତ । ବହୁ ଚିକିତ୍ସା ପରେ ମଧ୍ୟ ଭଲ ହୋଇପାରିନଥିଲେ ସୁକାନ୍ତ । ଏହା ଭିତରେ ସେ ହୋଇପଡିଥିଲେ ଶର୍ଯ୍ୟାସାୟୀ । ନିଜର ସମସ୍ତ ଅର୍ଥକୁ ଖର୍ଚ୍ଚ କରିଚାଲିଥିଲେ ମୃତ୍ୟୁର କରାଳ ଗର୍ଭରୁ ନିଜକୁ ବଞ୍ଚାଇବା ପାଇଁ । ଦୀର୍ଘ ୧୮ ବର୍ଷ ଯେଉଁ ସାମ୍ବାଦିକତାକୁ ନିଜର ସବୁକିଛି ବୋଲି ଭାବି କାର୍ଯ୍ୟ କରି ଆସୁଥିଲେ । ସେହି ସାମ୍ବାଦିକତା ବି ତାଙ୍କୁ ଏହି ଦୁଖଃଦ ସମୟରେ ଆହା ଟିକେ କରିନଥିଲା । ରୁଗ୍‌ଣ, ଋଣଗ୍ରସ୍ତ ଶରୀରକୁ ନେଇ କେତେ ବା ଲଢ଼ି ଥାନ୍ତେ ଶେଷରେ ୨୦୨୦ ମଇ ମାସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୁକାନ୍ତ । ବ୍ରହ୍ମପୁର ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ସୁକାନ୍ତଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରି ଅଶ୍ରୃଳଭରା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହା ଭିତରେ ସେ ଛାଡ଼ି ଚାଲିଯାଇଥିବା ନିଜର ପରିବାରକୁ ଗଣମାଧ୍ୟମ ପ୍ରତିନିଧି ପକ୍ଷରୁ ସମବେଦନା ପୂର୍ବକ କିଛି ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେହିପରି ବ୍ରହ୍ମପୁର ପୂର୍ବତନ କର୍ପୋରେଟର ଆର୍‌.ମୁରଲୀ ମୋହନ ୨୦ହଜାର ଟଙ୍କା ପ୍ରଦାନ କରିଥିଲେ । ଭୁବନେଶ୍ୱରର ଅମୀୟ ଦାଶ ମଧ୍ୟ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ବହୁ ବରିଷ୍ଠ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ