ଭଉଣୀଙ୍କ ପାଇଁ ସରପଞ୍ଚ ଭାଇ କିଣି ଆଣିଲେ ଲୁଗା, ଭୋଗ ସାମଗ୍ରୀ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବିଭିନ୍ନ ରାଜ୍ୟରୁ ଓଡିଶା ଫେରିଥିବା ପ୍ରବାସୀ ମାନେ ଏବେ ବିଭିନ୍ନ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ମହିଳା ପ୍ରବାସୀ ଅଛନ୍ତି । ଶୁକ୍ରବାର ସାବିତ୍ରୀ ବ୍ରତ ଅବସରରେ ସଂପୃକ୍ତ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ମାନେ ବ୍ରତ ପାଳନ କରିଥିବା ଦେଖାଯାଇଛି । ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ମାନେ ଲୁଗା ଓ ଭୋଗ ସାମଗ୍ରୀ କିଣି ଆଣି ଦେବା ସହ ନିଟକସ୍ଥ ମନ୍ଦିରରୁ ଭୋଗ ଲଗାଇ ଆଣି ଦେବାର ବ୍ୟବସ୍ଥା କରିଛନ୍ତି । ଚାରିଗାଁ ପଞ୍ଚାୟତ ବାଲିପୋଖରୀ ହାଇସ୍କୁଲ ଟି.ଏମ୍.ସିରେ ୨, ବଡବର୍ଚ୍ଚିକୟାଁ ପଞ୍ଚାୟତର ସି.ଏନ୍.ନୋଡାଲ ଉପ୍ରା ବିଦ୍ୟାଳୟ ଟି.ଏମ୍.ସିରେ ୩ ଓ ଆପ୍ତିରା ଟି.ଏମ୍.ସିରେ ଜଣେ, ନିଳୋକ ପଞ୍ଚାୟତ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଟି.ଏମ୍.ସିରେ ୧୦, ଓଡଙ୍ଗ ପଞ୍ଚାୟତ ଓଡଙ୍ଗ ହାଇସ୍କୁଲ ଟି.ଏମ୍.ସିରେ ୯, ଅଣିଜୋ ପଞ୍ଚାୟତ ସିନ୍ଧୁକେଶ୍ୱର ହାଇସ୍କୁଲ ଟି.ଏମ୍.ସିରେ ୪, ଗୋବିନ୍ଦପୁର ପଞ୍ଚାୟତ ଗଣେଶ ପ୍ରସାଦ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ ଟି.ଏମ୍.ସିରେ ୩ , ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ହାଇସ୍କୁଲ ଟି.ଏମ୍.ସିରେ ୧୦, ଗଣିଜାଙ୍ଗ ପଞ୍ଚାୟତ ନେହେରୁ ଉଚ୍ଚ ବିଦ୍ୟାଳୟ ଟି.ଏମ୍.ସିରେ ୨ ଜଣ ମହିଳା ସାବିତ୍ରୀ ବ୍ରତ କରିଥିବା ଦେଖାଯାଇଥିଲା । ଏସମସ୍ତ ଭଉଣୀ ମାନଙ୍କ ପାଇଁ ସରପଞ୍ଚ ବନମାଳୀ ବେହେରା, ବିଷ୍ଣୁ ମୋହନ ଜେନା, ଅଶୋକ କୁମାର ମହାନ୍ତି, କିଶୋର କିଙ୍କର ପଢିଆରୀ, ଜଗବନ୍ଧୁ ବେହେରା, ତିଳୋତ୍ତମା ବାରିକ, ପ୍ରେମଲତା ପ୍ରଧାନ, ରଞ୍ଜନ କୁମାର ସାହୁ ଲୁଗା ଓ ଭୋଗ ସାମଗ୍ରୀ ଆଣି ଦେଇଥିବା ଜଣାଯାଇଛି । ସେହିପରି କେନ୍ଦୁଆପଦା ଟି.ଏମ୍.ସିରେ ୫ ଜଣ ମହିଳାଙ୍କ ଖାଇବା ପାଇଁ ସରପଞ୍ଚ ମିତାଲୀ ଜେନା ଫଳମୂଳ ସାମଗ୍ରୀ ଆୟୋଜନ କରିଥିଲେ । ଶିଆଳିଆ ଟି.ଏମ୍.ସିରେ ଜଣେ ଶିଶୁର ଜନ୍ମ ଦିନ ପାଳନ କରାଯାଇଥିବାର ଦେଖାଯାଇଥିଲା ।


