ଲକଡାଉନ୍ ନିୟମ ମାନି ଯୋଡାରେ ପାଳନ ହେଲା ଇଦ୍
ଯୋଡା (ସମୀର କୁମାର ଦାସ) :୩୦ ଦିନ ଉପବାସ ପରେ ରବିବାର ରାତିରେ ଚାନ୍ଦ ଦେଖାଯିବାରୁ ସୋମବାର ଦିନ ଇଦ୍ ପର୍ବ ପାଳନ କରାଯିବା ନେଇ ଘୋଷଣା କରାଯାଇଥିଲା । ମାତ୍ର କରୋନା ମହାମାରୀ କାରଣରୁ କେନ୍ଦୁଝର ଜିଲା ଯୋଡା ସହରରେ ଇଦ୍ ପର୍ବ ପାଳନ ଫିକା ପଡିଥିଲା । ଯୋଡା ମୁସଲିମ୍ ମାର୍କେଟ୍ ରେ ଥିବା ମଦିନା ମସଜିଦ୍ ର ଇମାମ୍ ମହମ୍ମଦ ମୁଫତୀ ଜୁନେଦ୍ ରଜା ଗୌସୀ ସୋମବାର ଦିନ ସମସ୍ତଙ୍କୁ ଇଦ୍ ର ଶୁଭେଛା ଜଣାଇ କହିଥିଲେ ଯେ, ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଲକଡାଉନ୍ ତଥା ସାମାଜିକ ଦୂରତା ନିୟମକୁ ମାନି ଇଦ୍ ପର୍ବ ପାଳନ କରାଯାଉଛି । ଇଦ୍ ନମାଜ୍ ପଢିବା ସମୟରେ ମସଜିଦ୍ ରେ କେବଳ ୫ ଜଣ ଉପସ୍ଥିତ ଥିଲେ । ହାତ ମିଳାଇବା ଏବଂ ପରସ୍ପର ଆଲିଙ୍ଗନ କରି ଶୁଭେଛା ଜଣାଇବା ପରିବର୍ତେ କେବଳ ଇଦ୍ ମୁବାରକ କହି ପରସ୍ପରକୁ ଶୁଭେଛା ଜଣାଇଥିଲେ । ସହରରେ ବହୁ ଲୋକେ ନିଜ ଘରେ ରହି ଇଦ୍ ପର୍ବ ପାଳନ କରିବା ସହିତ ଫୋନ୍ ମାଧ୍ୟମରେ ଇଦ୍ ର ଶୁଭେଛା ଜଣାଇଥିଲେ ଏବଂ ବିଶ୍ୱକୁ କରୋନା ଭାଇରସ କବଳରୁ ମୁକ୍ତି କରିବା ପାଇଁ ଆହ୍ଲାଙ୍କଠାରେ ଦୁଆ କରାଯାଇଥିବା ଯୋଡା ମଦିନା ମସଜିଦ୍ ର ଇମାମ୍ ମହମ୍ମଦ ମୁଫତୀ ଜୁନେଦ୍ ରଜା ଗୌସୀ କହିଥିଲେ ।


