ରାସନ କାର୍ଡ ଥିବା ସତ୍ୱେ ଦିବ୍ୟାଙ୍ଗକୁ ଦିଆଯାଉନି ଚାଉଳ : ଉପାସରେ ଆଦିବାସୀ ଦମ୍ପତ୍ତି
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ଆଧାର କାର୍ଡ ଲିଙ୍କ୍ ହୋଇ ନଥିବା ଦର୍ଶାଇ ରାସନ ସାମଗ୍ରୀ ଦିଆଯାଉନଥିବା ନେଇ ଅଭିଯୋଗ କରିଛନ୍ତି ଜଣେ ଦିବ୍ୟାଙ୍ଗ ହିତାଧିକାରୀ। ଅଭିଯୋଗ ଅନୁସାରେ ଗିଦିଘାଟୀ ଗ୍ରାମପଞ୍ଚାୟତ ତାରଣା(ପରଶୁଡିହି) ଗ୍ରାମର ନୁନା ବାସ୍କେ(୬୬) ଓ ତାଙ୍କ ସ୍ତ୍ରୀ ଲାଖିଆଁ ବାସ୍କେ କାର୍ଡ ନଂ-୨୨୦୧୦୭୧୦୭୮୩” ବିଶିଷ୍ଠ ରାସନ କାର୍ଡରେ ସ୍ୱାମୀ ସ୍ତ୍ରୀ ୨’ଜଣଙ୍କ ନାମ ତାଲିକା ବଦ୍ଧ ରହିଛି।ହେଲେ ସ୍ତ୍ରୀ’ଙ୍କୁ ଚାଉଳ ଦିଆଯାଇଥିବା ବେଳେ ଦିବ୍ୟାଙ୍ଗ ସ୍ୱାମୀକୁ ଆଧାର ଲିଙ୍କ୍ ହୋଇ ନଥିବା କହି ଗାଳିଗୁଲଜ କରି ତାଙ୍କୁ ଯୋଗାଣ କେନ୍ଦ୍ରରୁ ଫେରାଇ ଦିଆଯାଉଥିବା ଅଭିଯୋଗ କରିଛନ୍ତି।ଫଳରେ ବର୍ତ୍ତମାନ ଜଣଙ୍କ ଭାଗରେ ମିଳିଥିବା ଚାଉଳ ସରିଯାଇଥିବାରୁ ବର୍ତ୍ତମାନ ଖାଇବାକୁ ନପାଇ ହୋଇରାଣ ହେଉଛନ୍ତି।ତେବେ କୌଣସି ପ୍ରକାରରେ ପଡୋଶି ଲୋକଙ୍କ ସହାୟତାରେ କ୍ଷୁଧା ମେଣ୍ଟାଉଥିବା ପ୍ରକାଶ କରିଛନ୍ତି ଦିବ୍ୟାଙ୍ଗ ଦମ୍ପତ୍ତି। ବର୍ତ୍ତମାନ ଲୋକଡାଉନ ସମୟରେ ସରକାରଙ୍କ ପକ୍ଷରୁ ଅଭାବୀ ଲୋକଙ୍କୁ ଚିହ୍ନଟ କରାଯାଇ ରନ୍ଧାଖାଦ୍ୟ/ଶୁଖିଲା ଖାଦ୍ୟ ଓ ଟଙ୍କା ଆଦି ଯୋଗାଇ ଦିଆଯାଉଥିବା ବେଳେ ଗରିବ ଆଦିବାସୀ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ରାସନ ସାମଗ୍ରୀରୁ ବଞ୍ଚିତ କରାଯିବା ଦୁଃଖର ବିଷୟ।ତେବେ ଯୋଗାଣ ସହୟିକା’ଙ୍କ ଦ୍ୱାରା ଏଠାରେ ବିଭିନ୍ନ ଲୋକଙ୍କ ନାମ ବିପିଏଲ କାର୍ଡ ଲିଷ୍ଟରୁ କଟିଯାଇଥିବା କିମ୍ବା ଲିଙ୍କ୍ ହୋଇନଥିବା କହି ସରକାରୀ ସୁବିଧାରୁ ବଞ୍ଚିତ କରାଯାଉଛି ବୋଲି ସଙ୍ଗିନ ଅଭିଯୋଗ କରିଛନ୍ତି କେତେକ ଗ୍ରାମବାସୀ।ଏଠାରେ ଯୋଗାଣ ଅଧିକାରୀ ଓ ଯୋଗାଣ ସହାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ନେଇ ସନ୍ଦେହ ପ୍ରକଟ କରାଯାଉଛି।ବହୁ ଦିନରୁ ରାସନ କାର୍ଡ ସଂଶୋଧନ କରାଯିବା ନେଇ ସାଧାରଣ ରେ ଦାବି ହୋଇ ଆସୁଥିଲେ ମଧ୍ୟ ସେଥିପ୍ରତି କର୍ଣ୍ଣପାତ କରାଯାଉ ନାହିଁ।ଆଧାର ଲିଙ୍କ୍,ରେସନ କାର୍ଡରେ ବିଭିନ୍ନ ସଂଶୋଧନ ତଥା ନୂତନ କାର୍ଡ ନିମନ୍ତେ କରାଯାଇଥିବା ଆବେଦନ ଗୁଡିକୁ ଶିତଳ ଭଣ୍ଡାରରେ ପକାଇ ରଖା ଯାଇଛି।ଏଠାରେ ଯୋଗାଣ ଅଧିକାରୀ ମହଦୋୟ ବହଳଦା ଓ ଜାମଦା ୨’ଟି ବ୍ଲକର ଦାୟିତ୍ୱରେ ରହିଥିବାବେଳେ ସମ୍ପୂର୍ଣ୍ଣ ସମୟ ଜାମଦା ବ୍ଲକରେ ବିତାଉଥିବା ଦେଖିବାକୁ ମିଳୁଛି ବହଳଦା ବ୍ଲକରେ ସମୟ ନଦେବା ଆଶ୍ଚର୍ଯ୍ୟର ବିଷୟ।ଫୋନ୍ ଦ୍ବାରା ଯୋଗାଯୋଗ କଲେ ମିଟିଙ୍ଗରେ ଥିବା ଦର୍ଶାଇ ଅନ୍ୟ କୋଣସି ଦିନ ସାକ୍ଷାତ କରିବାକୁ କହିଥାନ୍ତି କିନ୍ତୁ ଦେଖା ଦେଇ ନଥାନ୍ତି।ବର୍ତ୍ତମାନ ଲୋକଡାଉନରେ ହିତାଧିକାରୀଙ୍କୁ ଚାଉଳ ସହିତ ଡାଲି ଓ କିରୋସିନି ବଣ୍ଟନ କରାଯିବାର ଆଦେଶ ରହିଥିଲାବେଳେ ବହଳଦା ବ୍ଲକର ପଞ୍ଚାୟତ ଗୁଡିକରେ କେବଳ ଚାଉଳ ବଣ୍ଟନ କରାଯାଉଛି,ଡାଲି ପରେ ଦିଆଯିବାକୁ କହି ପ୍ରଶଙ୍ଗକୁ ଏଡାଇ ଚାଲିଛନ୍ତି।ରାସନ କାର୍ଡ ନଥିବା ଅଭାବି ଲୋକଙ୍କୁ ମଧ୍ୟ ଲୋକଡାଉନର ୩’ମାସ ବିତିବାକୁ ବସିଲାଣି ହେଲେ ଚାଉଳ ଆସି ନଥିବା ଦର୍ଶାଇ ଲୋକଙ୍କୁ ଭୁତାଇ ଚାଲିଛନ୍ତି।ଏଣୁ ବର୍ତ୍ତମାନ ଉକ୍ତ ସମସ୍ୟା/ଅଭିଯୋଗ ଗୁଡିକର ଉଚ୍ଚ ସ୍ତରୀୟ ଯାଞ୍ଚ କରାଯିବା ସହିତ ହିତାଧିକାରୀଙ୍କୁ ଉଚିତ ସାମଗ୍ରୀ ଠିକ୍ ସମୟରେ ଯୋଗାଇ ଦିଆଯିବା ସହିତ ରେସନ କାର୍ଡ ସମ୍ବନ୍ଧିୟ ସମସ୍ୟା ଗୁଡିକର ଯଥାଶିଘ୍ର ସମାଧାନ କରାଯିବାକୁ ସାଧାରଣରେ ଦାବି ହେଉଛି।


