କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଗାଇଲେ ବନ୍ଦେ ଉତ୍କଳ ଜନନୀ
ନାଉଗାଁ, (ଓ୍ବାଇଏନ୍ଏସ୍) : ବିଶ୍ୱ ମହାମାରୀ ଭାବେ ଆତଙ୍କ ଖେଳାଇଛି କରୋନା ଭୂତାଣୁ । ଏହି ଭୁତାଣୁରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ଅନେକ ଜୀବନ ହାନି ମଧ୍ୟ ଘଟୁଛି । ଏହିପରି ଏକ ମହାମାରୀକୁ ସାମାନା କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରର ପ୍ରଶସାନିକ ଅଧିକାରୀ ଅନବରତ ସେବା ଯୋଗାଇ ଆସୁଛନ୍ତି । ଏହିପରି ଏକ ବିପର୍ଯ୍ୟୟ ସମୟରେ କରେନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଉତ୍ସାହିତ କରିବା ସହିତ ଓଡିଶାବାସୀଙ୍କ ସହଯୋଗର ହାତ ବଢାଇବା ପାଇଁ ରାଜ୍ୟ ସରକାର ଶନିବାର ଅପରାହ୍ନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ନିବେଦନ କରିଥିଲେ ।ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଳକର ବିଡିଓ ରଶ୍ମିରେଖା ମଲିକ, ତହସିଲଦାର ଜେ.କଳ୍ପନା, ଥାନାଧିକାରୀ ଗୋବର୍ଦ୍ଧନ ସାହୁଙ୍କ ନେତୃତ୍ୱରେ ବ୍ଳକ,ତହସିଲ ଓ ଥାନା ପରିସରରେ ସମସ୍ତ ସହକର୍ମୀଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବା ବେଳେ ବ୍ଲକରେ ଥିବା ସମସ୍ତ ସ୍କୁଲ ଓ କଲେଜ, ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଓ କ୍ଲବ ମାନଙ୍କରେ ମଧ୍ୟ ଗାନ କରାଯାଇଥିଲା । ସେହିପରି ବ୍ଳକ ବିଜୁ ଜନତା ଦଳ ସଭାପତି ସୁଜିତ ମଲ୍ଲିକଙ୍କ ନେତୃତ୍ୱରେ ନାଉଗାଁ ବଜାରସ୍ଥିତ ବସଷ୍ଠାଣ୍ଡରେ ବିଜୁ ଜନତା ଦଳର କର୍ମୀ ଓ ବଜାରର ବିଭିନ୍ନ ବ୍ୟବସାୟୀମାନେ ସାମାଜିକ ଦୁରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଯୁବନେତା ଅଜୟ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା,ଛାତ୍ରନେତା ଆଲୋକ ମହାନ୍ତି, ପୃଥିରାଜ ମହାନ୍ତିଙ୍କ ସମେତ ଶତାଧିକ ନେତୃବୃନ୍ଦ ଯୋଗ ଦେଇଥିଲେ ।


