କିରାମାହା ଗ୍ରାମରେ ଏକ ସପ୍ତାହ ହେଲା ଜଳ ଯୋଗାଣ ବନ୍ଦ ତୁରନ୍ତ ଯୋଗାଣ ନିମନ୍ତେ ଦାବୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଏକ ସପ୍ତାହ ହେଲା ପାଇପରେ ପାଣି ଆସୁନାହିଁ। ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗଁ। ଥାନା ଝିଞ୍ଜିରିଗୁଡା ପଞ୍ଚାୟତ କିରାମାହା ଗ୍ରାମବାସୀ। ବିଦ୍ୟୁତ୍ ଲୋ ଭୋଲ୍ଟେଜ ଆଳ ଦେଖାଇ ଏକ ସପ୍ତାହ ହେଲା ପାଇପ ଯୋଗେ ପାଣି ଯୋଗାଣ ବନ୍ଦ କରିଦିଆଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଲକ୍ଡାଉନ୍ ଯୋଗୁ ଆବଶ୍ୟକ ନ ଥିଲେ ଲୋକେ ଘରୁ ବାହାରୁ ନ ଥିବାବେଳେ ଏପରି ଭାବେ ଜଳଯୋଗାଣ ବନ୍ଦ କରିଦିଆଯିବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମର ଆମୋଶ ମାଝୀ, ଟନିତା ରଣସିଂ ପ୍ରମୁଖ କହିଛନ୍ତି। ବହୁ ଦୂରରେ ଥିବା ନାଳ ଓ ଚୁଆରୁ ଖରାରେ ଯାଇ ପାଣି ଆଣିବା ବହୁତ କଷ୍ଟ ହେଉଛି ବୋଲି କହିଛନ୍ତି ଅଞ୍ଚଳବାସୀ। ଏ ସମ୍ପର୍କରେ ଲୋକେ ଜଳଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ସେ ଶୁଣୁ ନ ଥିବା ଗ୍ରାମର ଗଙ୍ଗାଧର ନାୟକ, ଏଲତେରିଅ ବସ୍ତରାୟ ପ୍ରମୁଖ କହିଛନ୍ତି। ଏନେଇ ଝିଞ୍ଜିରିଗୁଡା ସରପଞ୍ଚ ମାର୍କ ପାଟ୍ଟମାଝୀଙ୍କୁ ପଚରିବାରୁ ସେ କହିଛନ୍ତି, ମୋଟର ଅଚଳ ହୋଇଯାଇଛି, ମରାମତି କରି ଖୁବ୍ଶୀଘ୍ର ପାଣି ଯୋଗାଇ ଦିଆଯିବ।


