କରୋନା ଯୋଦ୍ଧାଙ୍କୁ ସମ୍ମାନିତ ଓ ଉତ୍ସାହିତ କଲା ଜିଲ୍ଲା ପ୍ରଶାସନ

ଯାଜପୁର (ଓ୍ବାଇଏନ୍ଏସ୍) : ମହାମାରୀ କରୋନା ବିରୁଦ୍ଧରେ ସମଗ୍ର ବିଶ୍ୱ ଲଢ଼ୁଛି । ସେହି ଯୁଦ୍ଧରେ ଆମ ଓଡି଼ଶା ଯୋଦ୍ଧା ମାନଙ୍କର ଅବଦାନ କିଛି କମ୍ ନୁହେଁ । ଡାକ୍ତର, ପାରାମଡେି଼କାଲ କର୍ମଚାରୀ, ସଫେଇ କର୍ମଚାରୀ, ପ୍ରଶାସନିକ କର୍ମଚାରୀ, ସୁରକ୍ଷା କର୍ମଚାରୀ, ଗଣମାଧ୍ୟମ, ସରପଂଚ ଓ ଅନ୍ୟାନ୍ୟ ଲୋକ ପ୍ରତିନିଧି, ସ୍ୱେଚ୍ଛାସେବୀ କର୍ମକର୍ତା କରୋନା ଯୋଦ୍ଧାମାନେ ରାତିଦିନ ଏକ କରି ସେମାନଙ୍କର ସେବା ଜାରି ରଖିଛନ୍ତି । ତେଣୁ ସେମାନଙ୍କୁ ଉତ୍ସାହିତ ଓ ସେମାନଙ୍କର ମନୋବଳ ବଢ଼ାଇବା ଉଦ୍ଧେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୩୦ ତାରିଖ ଶନିବାର ଅପରାହ୍ନ ୫ଘଟିକା ୩୦ମିନିଟ ସମୟରେ ଯେଉଁ ବନ୍ଦେ ଉତ୍କଳଜନନୀ ସଂଗୀତ ଗାନର ଆହ୍ୱାନ ଦେଇଥିଲେ ତାହା ଯାଜପୁରରେ ବିପୁଳ ସଫଳତା ହାସଲ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ସ୍କୁଲ ପଡି଼ଆ ଠାରେ ଏହି ଉତ୍ସାହପ୍ରଦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲା ପରିଷଦର ସଭାପତି ନରେଶ ଚନ୍ଦ୍ର ମହାନ୍ତ, ଜିଲ୍ଲାପାଳ ରଂଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ପ୍ରମୁଖ ଏଥିରେ ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ସଂଗୀତ, ଗାନ କରିଥିଲେ । ଆମରାଜ୍ୟ ସଂଗୀତ ଭାବେ ମାନ୍ୟତା ପ୍ରାପ୍ତ ବନ୍ଦେ ଉତ୍କଳ ଜନନୀ ସାଢ଼େ ଚାରିକୋଟି ଓଡି଼ଆଙ୍କ ହୃଦୟର ବନ୍ଦନା । ଏହା ସମସ୍ତ କରୋନା ଯୋଦ୍ଧାଙ୍କୁ ସମର୍ପିତ କରି ଆମେ ଯେ ସେମାନଙ୍କ ସହ ଅଛୁ ଓ ସେମାନଙ୍କୁ ସମ୍ମାନ ଦେଉଛୁ ଏହି ସନ୍ଦେଶ ଏ ଗୀତ ବହନ କରୁଛି ବୋଲି ଜିଲ୍ଲାପାଳ ଓ ଅନ୍ୟାନ୍ୟ ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ମହିର ପ୍ରସାଦ ମହାନ୍ତି, ଜିଲ୍ଲା ପାଇଁ ନିଯୁକ୍ତ କରୋନା ପର୍ଯ୍ୟବେକ୍ଷକ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ଦିଲ୍ଲିିପ କୁମାର ସାହୁ, ନିର୍ବାଚନ ବିଭାଗର ଉପ ସଚିବ ଆଜାଦ୍ ହିନ୍ଦ୍ ପାଣିଗ୍ରାହୀ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡି ଏସ୍ ପି ବିଜୟ କୁମାର ମଲ୍ଲିକ୍‌, ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଡେପୁଟି କଲେକ୍ଟର କାଜଲ ପ୍ରଧାନ, କୁଳମଣି ନାୟକ, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୁତାର, ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ଅନ୍ୟାନ୍ୟ ଅଧିକାରୀ ଗଣ, ବୃଦ୍ଧିଜିବୀ, ସାହିତ୍ୟିକ, ସମାଜସେବୀ, କଳାକାର ବୃନ୍ଦ, ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ସାଧାରଣ ବ୍ୟକ୍ତି ବିଶେଷ ଯୋଗଦେଇ ଉତ୍କଳବନ୍ଦନା ଗାନ କରିଥିଲେ । ପୋଲିସ୍ ବ୍ୟାଣ୍ଡ ମଧ୍ୟ ଉତ୍କଳ ବନ୍ଦନାର ଧ୍ୱନ ପରିବେଷଣ କରିଥିଲେ । ଜିଲ୍ଲା କାର୍ଯ୍ୟାଳୟ, ଜିଲ୍ଲା ଆବାସିକ କାର୍ଯ୍ୟାଳୟ, ଜିଲ୍ଲାର ସମସ୍ତ ବ୍ଲକ୍‌, ଥାନା, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ଇତ୍ୟାଦି ମାନଙ୍କରେ ଏହି ସଂଗୀତ ଗାନ କରାଯାଇଥିଲା । ବ୍ୟାସନଗର ଚୋରଦା ଛକଠାରେ ପୌରପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରଶାସକ ସନ୍ତୋଷ କୁମାର ମିଶ୍ର, ପୌରନିର୍ବାହୀ ଅଧିକାରୀ ସୁଭେନ୍ଦୁ ଜେନାଙ୍କ ନେତୃତ୍ୱରେ ଉତ୍କଳବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ବି.ଡି.ଓ., ତହସିଲଦାର, ଥାନା ଆଇ.ଆଇ.ସି. ସେମାନଙ୍କର ଅଂଚଳରେ ମଧ୍ୟ ଉତ୍କଳ ବନ୍ଦନାର ସଫଳ ଆୟୋଜନ କରିଥିଲେ । ବିପୁଳ ଉତ୍ସାହ ଉଦ୍ଦୀପନାରେ ସମସ୍ତ ଜନତା ସ୍ୱତଃପୂତଃ ଭାବେ ଏଥିରେ ସାମିଲ୍ ହୋଇ ସେମାନଙ୍କର ସେବା ମନୋଭାବର ପ୍ରଦର୍ଶନ ଓ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିବାର ଜିଲ୍ଲାପାଳ ଦାସ ସମସ୍ତଙ୍କୁ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପରିଚାଳନା କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ