ଖରସ୍ରୋତା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ
ବିଂଝାରପୁର, (ପ୍ରଦୀପ କୁମାର ମଲ୍ଲିକ): ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ସିଂହପୁରସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଖରସ୍ରୋତା ମହାବିଦ୍ୟାଳୟର ୫୧ତମ ପ୍ରତିଷ୍ଠା ଦିବସ ଆଜି ଉତ୍ସବମୁଖର ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଗୌରବମୟ ଅତୀତକୁ ସ୍ମରଣ କରାଯିବା ସହ ପ୍ରତିଷ୍ଠାତା ଓ ପୁରାତନ କର୍ମକର୍ତ୍ତାଙ୍କ ଅବଦାନକୁ ମନେ ପକାଯାଇଥିଲା। ସିଂହପୁର ଭଳି ଏକ ପଲ୍ଲୀ ଅଞ୍ଚଳରେ ଉଚ୍ଚଶିକ୍ଷାର ଆଲୋକ ପହଞ୍ଚାଇବା ଲକ୍ଷ୍ୟରେ ଆଜକୁ ପ୍ରାୟ ୫୦ ବର୍ଷ ପୂର୍ବେ ଯେଉଁ ମହାନ ବ୍ୟକ୍ତିମାନେ ମହାବିଦ୍ୟାଳୟ ସ୍ଥାପନର ସ୍ୱପ୍ନ ଦେଖିଥିଲେ, ସେମାନଙ୍କ ମଧ୍ୟରୁ ଅନେକେ ଆଜି ଆମ ଗହଣରେ ନାହାନ୍ତି। ଜୀବିତ ଥିବା ପ୍ରତିଷ୍ଠାତା ଓ ବରିଷ୍ଠ ବ୍ୟକ୍ତିମାନେ ଜୀବନର ଅପରାହ୍ନରେ ପହଞ୍ଚିଥିବା ବେଳେ ଦିବଂଗତମାନଙ୍କୁ ସ୍ମରଣ ଓ ଗୁରୁଜନଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଆୟୋଜିତ ହୋଇଥିଲା।ସଭା ପୂର୍ବରୁ ବିଘ୍ନନାଶକ ଶ୍ରୀ ବିନାୟକ ଏବଂ ବିଦ୍ୟା ପ୍ରଦାୟିନୀ ମା’ ବାଗ୍ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସ ସଭାପତିତ୍ୱ କରିଥିଲେ। ପ୍ରଶାସନିକ ଅଧିକାରୀ ତଥା ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ଆଗାମୀ ସୁବର୍ଣ୍ଣ ଜୟନ୍ତୀ ପାଳନରେ ସମସ୍ତଙ୍କ ସହଭାଗିତା କାମନା କରିଥିଲେ।ମଞ୍ଚାସୀନ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଗୋଲକ ବିହାରୀ ଦାସ, ଉଦୟ ନାରାୟଣ ପରିଡା, ପ୍ରାଧ୍ୟାପକ ରବିନ୍ଦ୍ର ରାୟ, ମହାବିଦ୍ୟାଳୟର ପ୍ରଥମ ମୁଖ୍ୟ କିରାଣୀ କୃତ୍ତିବାସ ପ୍ରଧାନ ଓ ପ୍ରଥମ ଗ୍ରନ୍ଥାଗାରିକ ସୁଶାନ୍ତ ନାୟକ ଯୋଗଦେଇଥିଲେ। ସେମାନେ ମହାବିଦ୍ୟାଳୟର ପ୍ରତିଷ୍ଠା ଓ ଏହାର ଗୌରବମୟ ଯାତ୍ରା ସମ୍ପର୍କରେ ସ୍ମୃତିଚାରଣ କରିବା ସହ ଆଗାମୀ ସୁବର୍ଣ୍ଣ ଜୟନ୍ତୀକୁ ସଫଳ କରିବା ନେଇ ମତାମତ ରଖିଥିଲେ। ଏହି ଅବସରରେ ପ୍ରାକ୍ତନ ଅଧ୍ୟକ୍ଷ ସୁବୋଧ କୁମାର ନାୟକ, ଘନଶ୍ୟାମ ଜେନା, ଉପେନ୍ଦ୍ର କୁମାର ସାମଲ, ମିହିର କୁମାର ରାଉତ୍, ନୀଳାବତୀ ପଣ୍ଡା, ପ୍ରାକ୍ତନ ଅଧ୍ୟାପକ ଅଜୟ କୁମାର ଓଝା, ମୀନକେତନ ସାମଲ, ତ୍ରିଲୋଚନ ବେଉରିଆ ଓ ଅଜୟ କୁମାର ଦାସ ପ୍ରମୁଖ ନିଜ ନିଜ ମତ ରଖିଥିଲେ। ସେହିପରି ପୂର୍ବତନ କର୍ମଚାରୀ ପ୍ରଦୀପ କୁମାର ମଲ୍ଲିକ, ପ୍ରଣୟ କୁମାର ଥାଟୋଇ, ଅନନ୍ତ କିଶୋର ଦାସ, ଧୃବଚରଣ ବାରିକ, ଶ୍ରୀଧର ସାହୁ, ପଦ୍ମଚରଣ ସାହୁ ଓ ନାଗେଶ୍ୱର ମଲ୍ଲିକ ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ସହ ଜଡ଼ିତ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ।ସଭା ପୂର୍ବରୁ ଏକ ଆକର୍ଷଣୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବିଭାଗର ମୁଖ୍ୟ ଗଗନ ବିହାରୀ ବେହେରା, ଅଧ୍ୟାପିକା ରୂପାଲି ମହାରଣା ଓ ଅଧ୍ୟାପକ ମୀନକେତନ ତ୍ରିପାଠୀ କବିତା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ମୀନକେତନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।


