ବହୁ ଚର୍ଚ୍ଚିତ ବଡପାଖଣା ଚନ୍ଦ୍ର ମୋହନ ହତ୍ୟାକାଣ୍ଡର ପର୍ଦ୍ଦାଫାଶ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ବଡପାଖଣା ଗାଁ ପାଖ ସ୍କୁଲ ପଛପଟ ବିଲ ଘଞ୍ଚ ବୁଦା ମଧ୍ୟରେ ଗୁରୁବାର ଅପରାହ୍ନରେ ସେହି ଗାଁର ଚନ୍ଦ୍ର ମୋହନ ମହାନ୍ତିଙ୍କୁ କେହି ଦୁବୃର୍ତ୍ତ ପଥରରେ ଛେଚି ମାରି ହାତକୁ ସାର୍ଟରେ ବାନ୍ଧି ଫୋପାଡି ଦେଇ ଫେରାର ହୋଇଯାଇଥିଲା । ଯାହାକି ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ରାଇରଙ୍ଗପୁର ଆଦର୍ଶ ଥାନା ଆଇଆଇସି ରେଣୁବାଳା ସାହୁ ଏବଂ ଏସିଆ ସନ୍ତୋଷ ଖେସଙ୍କ ଉଚିତ ସମୟରେ ତଦନ୍ତ ନେଇ ଆସାମୀକୁ ମଙ୍ଗଳବାର ଗିରଫ ଓ କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି ଆସାମୀ ବହଳଦା ଥାନା ଅନ୍ତର୍ଗତ ଗୁହାଳ ବାଙ୍ଗିରିପୋଷି ଗାଁ ର ତରରୁଣସେନ ଧୀର । ତାଙ୍କର ଚନ୍ଦ୍ର ମୋହନ ମହାନ୍ତିଙ୍କ ଘରକୁ ଯିବା ଆସିବା ଥିଲା । ଚନ୍ଦ୍ର ମୋହନଙ୍କ ମନରେ ଧାରଣା ଯେ ତରୁଣ ତା’ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରଖୁଛି ।ଏହାକୁ ନେଇ ସେ ମଧ୍ୟ ଚନ୍ଦ୍ର ତରୁଣକୁ ପଚାରି ଥିଲା ଏବଂ ଏହାକୁ ନେଇ ଦୁଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ତରୁଣ ପ୍ରତିଶୋଧ ପରାୟଣ ହୋଇ ଚନ୍ଦ୍ରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଚିନ୍ତା କରି ଯୋଜନା ପ୍ରସ୍ତୁତ କରିଥିଲା ।ପରେ ନିଛାଟିଆ ଜଙ୍ଗଲ ଜାଗାରେ ଚନ୍ଦ୍ରକୁ ଏକୁଟିଆ ପାଇ ପଥରରେ ମୁଣ୍ଡକୁ ଛେଚି ମାରି ଦେଇଥିଲା ଓ ହାତକୁ ପଛପଟୁ ବାନ୍ଧି ଖସି ପଳାଇଥିଲା ବୋଲି ଆସାମୀ ତରୁଣ ପୋଲିସ ଆଗରେ ସ୍ବିକାର କରିଛି ।ଏତେ କମ୍ ସମୟରେ ପୋଲିସର ସଫଳତା ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ।


