ସ୍ନାନଯାତ୍ରା ପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା
ପୁରୀ: ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା। କୋରୋନା ଲାଗି ଏଥର ବିଭିନ୍ନ କଟକଣା ମଧ୍ୟରେ ମହାପ୍ରଭୁ ସ୍ନାନମଣ୍ଡପରେ କରିବେ ପ୍ରତ୍ୟକ୍ଷ ସ୍ନାନ। ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ସାଧାରଣ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ ନାହିଁ। ଏପରିକି ବଡ଼ଦାଣ୍ଡରେ ମଧ୍ୟ କଟକଣା ରହିବ। ଭକ୍ତମାନେ ଘରେ ଥାଇ ଟିଭିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ। ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ମୁତାବକ ଅନୁଷ୍ଠିତ ହେବ। ତେବେ ଏହି ସମୟରେ ଯେଭଳି କୌଣସି ବ୍ୟକ୍ତି ବଡ଼ଦାଣ୍ଡକୁ ନ ଆସନ୍ତି ତାକୁ ଦୃଷ୍ଟିରେ ରଖି ପୁରୀରେ ଲାଗୁହେବ ୧୪୪ ଧାରା। ଆସନ୍ତା ୫ ତାରିଖରେ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଭୋର୍ ପର୍ଯ୍ୟନ୍ତ ଲାଗୁ ହେବ ୧୪୪ ଧାରା। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ।
ସ୍ନାନଯାତ୍ରା କିଭଳି ସାମାଜିକ ଦୂରତା ରକ୍ଷା କରାଯାଇ କରାଯିବ, ତାହା ଉପରେ ମଙ୍ଗଳବାର ନୀଳାଦ୍ରି ଭକ୍ତ ନିବାସରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲୱନ୍ତ ସିଂ, ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟଯୋଶୀ ମହାପାତ୍ର ଓ ଛତିଶା ନିଯୋଗ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ୧୪୪ ଧାରା ଜାରି ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଆସନ୍ତା ୪ ତାରିଖ ରାତି ୧୦ଟା ଠାରୁ ୬ ତାରିଖ ଭୋର୍ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଏଥିସହ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ଅନେକ ସାହି ଓ ଛକ ମାନଙ୍କରେ ମଧ୍ୟ ୧୪୪ ଧାରା ଜାରି କରାଯିବ। ମାର୍କେଟ୍ ଛକ-କାକୁଡ଼ି ଖାଇ ଛକ, ମର୍ଚ୍ଚିକୋଟ୍ ଛକ ଠାରୁ- ଲବଣୀଖିଆ ଛକ, ଲବଣୀଖିଆ ଛକ ଠାରୁ ଭାୟା ଜେନାରୀ ଗଛ ଛକ ଦେଇ କରତି ସାହି ସହ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ। ଏଥିସହ ଭୋଗ ଜାଗା, ଖୁଣ୍ଟିଆ ସାହି ଛକ, ସୁଦର୍ଶନ ଗେଷ୍ଟ ହାଉସ୍, ହରଚଣ୍ଡୀ ସାହିର ମାଛ ହାଟ ଛକ, ବରାହି ଛକ, ଲୋକନାଥ ରୋଡର ବୃଷଭ ଛକ, ମଙ୍ଗଳା ଘାଟ ମାଳିକା ଛକ, ବାଲି ସ୍କୁଲ, ମିଶ୍ର ସାହି, ପାଣ୍ଡା ଜାଗା, ଚୂଡ଼ଙ୍ଗ ସାହି ଦେଇ ବଡ଼ଦାଣ୍ଡ ଇଣ୍ଡିଆନ ବ୍ୟାଙ୍କ୍ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ପୁରୀ ଲୋକ ନିଜେ ବହୁତ ଶୃଙ୍ଖଳିତ। ତେଣୁ ସମସ୍ତେ ଏହି ନିୟମକୁ ମାନିବେ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି।
ସେପଟେ ଚକଡେରା ବିଧି ମୁତାବକ ସମ୍ପନ୍ନ ହୋଇଛି। ଅଖ ଉପରେ ପଡ଼ିଛି ଦଣ୍ଡା। ନନ୍ଦିଘୋଷ ରଥ ଓ ତାଳଧ୍ୱଜ ରଥରେ ୯ଟି ଦଣ୍ଡା ସହ ଦୁଇଟି ମୁହାଁଟ, ଦେବଦଳନର ରଥରେ ୭ଟି ଦଣ୍ଡା ଏବଂ ଦୁଇଟି ମୁହାଁଟ ଲଗାଯାଇଛି। ପରେ ସେଥିରେ ନିରାଡ଼ି, ଜଳଯନ୍ତ ଓ କଣ ଗୁଜ ଲାଗିବା ବିଧିର ବହୁତ ପୂର୍ବରୁ ଚାରିନାହାକା ଉଠିଛି। ବିଧି ମୁତାବକ ଦେବସ୍ନାନ ପୂର୍ଣ୍ଣିମାରେ ଚାରିନାହାକା ଉଠାଯାଇଥାଏ। କିନ୍ତୁ ଏହାର ପୂର୍ବରୁ ଚାରିନାହାକା ଉଠାଯାଇଛି। ମହାରଣା ଓ ଭୋଇ ସେବକମାନେ ତିନି ରଥର ଚାରିନାହାକା ଉଠାଇବା ପରେ ଛକାଠ, ୧୪ ନାହାକା ଓ ପ୍ରଥମ ଭୂଇଁ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ମହାରଣା ଓ ଭୋଇ ସର୍ଦାର କହିଛନ୍ତି। ସେହିପରି ସ୍ନାନଯାତ୍ରା ସହିତ ଜଡ଼ିତ ସେବାୟତ, ବିଭିନ୍ନ ନିଯୋଗର ସଦସ୍ୟଙ୍କ କୋଭିଡ୍ ଟେଷ୍ଟ୍ ଇତିମଧ୍ୟରେ ଶେଷ ହୋଇଛି। ପ୍ରାୟ ୭୦୦ ସେବାୟତ, ସେବକ, ମନ୍ଦିର କର୍ମଚାରୀ ସମସ୍ତଙ୍କର କୋଭିଡ୍ ଟେଷ୍ଟ ପ୍ରାୟତଃ ଶେଷ ହୋଇଛି। ମଙ୍ଗଳବାର ଅନ୍ୟାନ୍ୟ ନିଯୋଗର କେତେକ ସେବକଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ଓ ୧୧୦ ଜଣ ଜେଟିପି ପୋଲିସ୍ଙ୍କର ଟେଷ୍ଟ କରାଯିବାର ଯୋଜନା ରହିଥିବା ନେଇ ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।


