ଛାତ୍ର ଛାତ୍ରୀଙ୍କ ଉଦ୍ୟମରେ ଅସ୍ଥାୟୀ କାଠ ପୋଲ ନିର୍ମାଣ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଗାଁକୁ ରାସ୍ତାଟିଏ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ନିରାଶ ହେବା ପରେ ଛାତ୍ରଛାତ୍ରୀଙ୍କ ସହଯୋଗରେ ଗ୍ରାମବାସୀ ଗାଁକୁ ସଂଯୋଗ ନିମନ୍ତେ କଣ୍ଟା ସାଜିଥିବା ଏକ ନାଳରେ ନିର୍ମାଣ କରିଛନ୍ତି ଅସ୍ଥାୟୀ କାଠପୋଲ। ଲକଡାଉନ୍‍ ଯୋଗୁ ଫୁରସତରେ ରହିଥିବା ଗ୍ରାମର ଛାତ୍ରଛାତ୍ରୀ, ଯୁବକ/ଯୁବତୀ ନିଜ ଗ୍ରାମ ପାଇଁ ନିଜେ ଆରମ୍ଭ କରିଛନ୍ତି ଅସ୍ଥାୟୀ କାଠ ପୋଲ ନିର୍ମାଣ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର ଲେତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ର ଡ଼ପେପାଡ଼ା ଗ୍ରାମରେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପକ୍କା ରାସ୍ତା ଓ ପୋଲ ର୍ନିମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଡ଼ପେପାଡ଼ା ଗ୍ରାମକୁ ସବୁଦିନିଆ ରାସ୍ତା ସ୍ବପ୍ନ ହୋଇ ରହିଛି। ଗ୍ରାମକୁ ରାସ୍ତା ନିର୍ମାଣ ସହିତ ଗ୍ରାମକୁ ଯିବା ରାସ୍ତାରେ ପଡ଼ୁଥିବା ଏକ ବଡ଼ନାଳ ଉପରେ ପୋଲ ପାଇଁ ମଧ୍ୟ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସିଛନ୍ତି। କିନ୍ତୁ ବର୍ଷ ପରେ ବର୍ଷ ବିତିଯାଇଛି। ଆଜି ପର୍ଯ୍ୟନ୍ତ କେହି ଦୃଷ୍ଟି ଦେଲେନି। ଶେଷରେ ଲକ୍‍ଡ଼ାଉନ୍‍ ଯୋଗୁଁ ଗ୍ରାମର ସମେସ୍ତ ଏକତ୍ରିତ ହୋଇ ନିଜ ଉଦ୍ୟମରେ ନିର୍ମାଣ କରିଛନ୍ତି ଏକ କାଠ ପୋଲ। ଏଥିରେ ଗ୍ରାମର ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡ଼ପେପାଡ଼ା ଗ୍ରାମର ପ୍ରାୟ ୩୦ ଆଦିବାସୀ ପରିବାର ବସବାସ କରନ୍ତି। ଏହି ଗ୍ରାମକୁ ବିଛିନ୍ନ କରି ରଖିଛି ଲାଜିଂରାମାହା ନାଳ। ଉକ୍ତ ନାଳରେ ବର୍ଷା ଦିନେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥାଏ। ଫଳରେ ଏଠାକାର ଶିଶୁ ଓ ଛାତ୍ରଛାତ୍ରୀ ଲେତିଙ୍ଗିଆ ଗ୍ରାମରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇପାରନ୍ତିନି। ଏପରିକି ଗ୍ରାମର ବୃଦ୍ଧ, ବୃଦ୍ଧା ସେମାନଙ୍କ ବାର୍ଦ୍ଧକ୍ୟଭତ୍ତା ହେଉ କିମ୍ବା ରେସନକାର୍ଡ଼ରେ ଚାଉଳ ଓ ଅନ୍ୟ ସାମଗ୍ରୀ ଆଣିବା ପାଇଁ ମଧ୍ୟ ଯାଇନପାରି ବେଶ ଅସୁବିଧା ଭୋଗୁଛନ୍ତି। ଗ୍ରାମରେ କେହି ରୋଗରେ ପିଡ଼ିତ ହେଲେ ଆମ୍ବୁଲାନ୍ସ ଗ୍ରାମକୁ ଆସିପାରୁନାହିଁ। ଫଳରେ ଖଟିଆ ଦ୍ୱାରା ହିଁ ନାଳ ପାର କରିବାକୁ ପଡୁଛି। ସବୁଆଡୁ ନିରାଶ ହେବା ପରେ ଗ୍ରାମର ଛାତ୍ରଛାତ୍ରୀଙ୍କ ସହଯୋଗରେ ଓ ଗ୍ରାମବାସୀ ନାଳ ଉପରେ ଶ୍ରମଦାନ କରି ଏକ କାଠ ପୋଲ ନିର୍ମାଣ କରିଛନ୍ତି ବୋଲି ଗ୍ରାମର ନିଲୁ ମଲିକ, ଜାନୁଙ୍ଗା ପ୍ରଧାନ ପ୍ରକାଶ କରିଛନ୍ତି। ଗ୍ରାମର ସଚେତନ ଯୁବକ ଉପେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀ ଏକତ୍ରିତ ହୋଇ ନିକଟ ଜଙ୍ଗଲରୁ କାଠ ସଂଗ୍ରହ କରି ଉକ୍ତ ନାଳ ଉପରେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କାମ ଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ