କଙ୍ଗାରୁ କୋର୍ଟର ନିର୍ଦ୍ଦେଶ : କ୍ୱାରାଣ୍ଟାଇନ୍ ଫେରନ୍ତାଙ୍କୁ ଗ୍ରାମରୁ ବାସନ୍ଦ, ଜଙ୍ଗଲରେ ବିତାଉଛନ୍ତି ଜୀବନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକରେ ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଥିବା ଜଣାଯାଇଛି । କ୍ୱାରାଣ୍ଟାଇନ୍ରେ ୧୪ ଦିନ ଅତିବାହିତ କରି ସୁସ୍ଥ ହୋଇ ଗ୍ରାମକୁ ଫେରିଥିବା ୭ଜଣକୁ ଗ୍ରାମବାସୀମାନେ ଗ୍ରାମ ମଧ୍ୟକୁ ପୁରାଇ ଦେଇ ନାହାଁନ୍ତି । ଗ୍ରାମ କମିଟି ଦ୍ୱାରା ଏ ନେଇ ଏକ କଙ୍ଗାରୁ କୋର୍ଟ ଆୟୋଜିତ ହୋଇଥିଲା । କରୋନା ସଂକ୍ରମଣର ଭୟ ଓ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କୋର୍ଟର ନିର୍ଦ୍ଦେଶ କ୍ରମେ କ୍ୱାରାଣ୍ଟାଇନ୍ ଫେରନ୍ତାଙ୍କୁ ଗ୍ରାମରୁ ବାସନ୍ଦ କରାଯିବା ସହ ନିକଟସ୍ଥ ଜଙ୍ଗଲରେ ରହିବା ପାଇଁ କୁହାଯାଇଛି । ଆଜିକୁ ୭ଦିନ ହେଲା କଙ୍ଗାରୁ କୋର୍ଟର ନିର୍ଦ୍ଦେଶ କ୍ରମେ ଗ୍ରାମ ଛାଡି ଜଙ୍ଗଲରେ କୁଡିଆ ତିଆରି କରି ୭ଜଣ ଜୀବନ ବିତାଉଥିବା ଏକ ଉଦ୍ବେଗ ଜନକ ଖବର ହସ୍ତଗତ ହୋଇଛି । ଘଟଣାଟି ଘଟି ୭ଦିନ ବିତିବାକୁ ଯାଉଥିଲେ ସୁଦ୍ଧା ପ୍ରଶାସନ କିମ୍ବା ପୋଲିସ ଠାରେ ଏ ନେଇ କୌଣସି ସୁଚନା ନ ଥିବା କୁହାଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଆବାରସିଂ ଗ୍ରାମ ପଞ୍ଚାୟତର ଖାରିପଦା ଗ୍ରାମର ୭ଜଣ ଆବାରସିଂ ଠାରେ କ୍ୱାରାଣ୍ଟାଇନ୍ରେ ରହିଥିଲେ । ୧୪ଦିନ ବିତିବା ପରେ ଏମାନଙ୍କ ନେଗେଟିଭ୍ ରିପୋର୍ଟ ଆସିବା ଯୋଗୁଁ ସରକାରୀ ନିୟମ ଅନୁଯାୟୀ ଏମାନଙ୍କୁ ସୁସ୍ଥ ଘୋଷଣା କରାଯାଇ ନିଜନିଜର ଘରକୁ ପ୍ରଶାସନ ପଠାଇ ଦେଇଥିଲେ । ହେଲେ ସଂପୃକ୍ତ ୭ଜଣ ରହୁଥିବା ଖାରିପଦା ଗ୍ରାମବାସୀମାନେ ଏମାନଙ୍କୁ ଗ୍ରମ ମଧ୍ୟକୁ ପୁରାଇ ଦେଲେ ନାହିଁ । ଗ୍ରାମବାସୀଙ୍କ ଦ୍ୱାରା ଏ ନେଇ ଏକ କଙ୍ଗାରୁ କୋର୍ଟର ଆୟୋଜନ ଖାରିପଦା ଗ୍ରାମରେ ଗତ ୭ଦିନ ତଳେ ହୋଇଥିଲା । କ୍ୱାରାଣ୍ଟାଇନ୍ରୁ ସୁସ୍ଥ ହୋଇ ୭ଜଣ ଗ୍ରାମକୁ ଫେରି ଥିଲେ ସୁଦ୍ଧା ପୁଣି କରୋନା ସଂକ୍ରମଣର ଭୟ ଓ ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଙ୍ଗାରୁ କୋର୍ଟ ଗ୍ରାମରୁ ଏମାନଙ୍କୁ ବାସନ୍ଦ କରିଥିଲା । ନିକଟସ୍ଥ ଜଙ୍ଗଲରେ ଏମାନଙ୍କୁ ରହିବା ପାଇଁ ଏହି କୋର୍ଟ ନିର୍ଦ୍ଦେଶ ଦେଇଥିଲା । ଏଥିରେ ଗ୍ରାମରୁ ବିତାଡିତ ହୋଇ ଘରକୁ ନ ଯାଇ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଅସ୍ଥାୟୀ କୁଡିଆ ତିଆରି କରି କ୍ୱାରାଣ୍ଟାଇନ୍ ଫେରନ୍ତା ୭ଜଣ ଜୀବନ ବିତାଉଛନ୍ତି । ଖାଦ୍ୟପେୟ ଓ ପିଇବାପାଣି ଗ୍ରାମବାସୀମାନେ ଏମାନଙ୍କୁ ଯୋଗାଉଥିବା ଜଣାଯାଇଛି । ଏହି ଘଟଣା ଘଟି ଆଜିକୁ ୭ଦିନ ବିତିବାକୁ ଯାଉଛି । ହେଲେ ଏହି ୭ଜଣ ଏପରି ଭାବେ ଆଉ କେତେ ଦିନ ଜଙ୍ଗଲରେ ବିତାଇବେ ତାହା ସ୍ପଷ୍ଟ ଭାବେ ସୁଚନା ମିଳିନାହିଁ । ଏ ନେଇ ଆର.ଉଦୟଗିରି ବିଡିଓ ପ୍ରଦୀପ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି,ଏହି ୭ଜଣ କ୍ୱାରାଣ୍ଟାଇନ୍ ଫେରନ୍ତା ସେହି ଗ୍ରାମର ସ୍କୁଲରେ ରହିଛନ୍ତି । ଜଙ୍ଗଲରେ ଜୀବନ ବିତାଉଥିବା କୌଣସି ତଥ୍ୟ ନାହିଁ । ତଥାପି ଏହାର ଅନୁଧ୍ୟାନ କରାଯିବ ।


