ଚୋରା ମଦ ବିକ୍ରି ବେଳେ ଚଢାଉ, ପୋଲିସକୁ ଆକ୍ରମଣ ଘଟଣାରେ୨ଅଟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ପୋଲିସ ଦେଶୀମଦ ଚୋରା କାରବାରର ଚଢାଉ ବେଳେ ମଦମାଫିଆଙ୍କ ପୋଲିସକୁ ଆକ୍ରମଣ ଘଟଣାରେ ୨ଜଣକୁ ଅଟକ ରଖାଯାଇଛି । ଏହି ଘଟଣାରେ ପଡୋଶୀ ଆନ୍ଧ୍ରର କିଛି ମଦମାଫିଆ ଜଡିତ ଥିବାରୁ ଏମାନଙ୍କୁ ଗିରଫ ପାଇଁ ପୋଲିସ ଜାଲ ବିଛାଇ ଥିବା କାଶୀନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୁଚନା ଦେଇଛନ୍ତି ଯେ,ଗତକାଲି ଏହି ଥାନାର କିଡିଗାଁ ପଞ୍ଚାୟତ ଅନ୍ତର୍ଗତ ନୀଳାପୁର ଗ୍ରାମ ପାଶ୍ୱର୍ ଦେଇ ଯାଇଥିବା ରେଳ ଲାଇନ ନିକଟରେ ବେଆଇନ ଭାବେ ଦେଶୀ ପାଉଚ ମଦ ବିକ୍ରି ହେଉଥିବା ଖବର ପୋଲିସ ଠାରେ ପହଞ୍ଚିଥିଲା । ଏହି କାରବାରକୁ ଜବତ କରିବା ପାଇଁ ଦୁଇଜଣ ଅଫିସର, ଦୁଇଜଣ କନେଷ୍ଟବଳ ଓ ଦୁଇ ଜଣ ହୋମ୍ଗାର୍ଡ ଚଢାଉ ପାଇଁ ଯାଇଥିଲେ । ବହୁ ମଦ୍ୟପ ଗହଳି କରି ପିଉଥିବା ବେଳେ ପୋଲିସକୁ ଦେଖି ସେମାନେ ଦୌଡିଥିଲେ । ପୋଲିସର ଦୁଇଜଣ ଗାଡି ପାଖରେ ରହିଥିବାବେଳେ ଆଉ ୪ଜଣ ସେମାନଙ୍କୁ ଗୋଡାଇଥିଲେ । ପୋଲିସ ଗାଡି ପାଖରେଥିବା ଏସ୍.ଆଇ. ରତିକାନ୍ତ ନାୟକ ଓ ହୋମ୍ଗାର୍ଡ ପି.ସୁଧାକରଙ୍କର ଉପରେ କେତେକ ମଦ ମାଫିଆ ଅଚାନକ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଖବର କାଶୀନଗର ଥାନାରେ ପହଞ୍ଚିବା ପରେ ଘଟଣା ସ୍ଥଳକୁ ପୋଲିସ ଦଳ ସହ ପହଞ୍ଚି ଗୁରୁତର ୨ଜଣଙ୍କୁ କାଶୀନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚୋରା ମଦ କାରବାର ଅଞ୍ଚଳରୁ ୭୦ଟି ଦେଶୀ ପାଉଚ ମଦ ଓ ଗୋଟିଏ ବାଇକ ଜବତ କରାଯାଇଛି । ଜବତ ବାଇକର ନମ୍ବର ଏପି୩୧ ଇଏ ୧୬୯୪ । ଏ ଘଟଣାରେ କାଶୀନଗର ଥାନାରେ ଗତକାଲି ୫୪/୨୦ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଏଥିରେ ସମ୍ପୃକ୍ତ ୨ଜଣକୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି । ଆନ୍ଧ୍ର ଅଞ୍ଚଳର କେତେକ ମଦମାଫିଆ ଏଥିରେ ସମ୍ପୃକ୍ତ ଅଛନ୍ତି । ସେମାନଙ୍କୁ ଅତି ତୁରନ୍ତ ଗିରଫ କରାଯିବ ।