ମଣିଷ ଖିଆ ବାଘକୁ ଆଜୀବନ କାରାଦଣ୍ଡ
ଭୋପାଳ : ଶୀର୍ଷକଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମଣିଷ ଖିଆ ବାଘକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅବଶ୍ୟ କୋର୍ଟ ଏହି ରାୟ କି ନିର୍ଦ୍ଦେଶ ଦେଇନାହାନ୍ତି । ଜଙ୍ଗଲ ବିଭାଗ ଏଭଳି ଦଣ୍ଡ ଦେବାକୁ ବାଧ୍ୟ ହୋଇଛି । କାହ୍ନା ଜାତୀୟ ଉଦ୍ୟାନରେ ବାଘଟିକୁ ଟ୍ରାଙ୍କୁଲାଇଜ କରିବା ପରେ ଭୋପାଳର ବନବିହାରକୁ ପଠାଇ ଦିଆଯାଇଛି । ଯେଉଁଠାରେ ବାଘଟି ସାରା ଜୀବନ ପାଇଁ ବନ୍ଦୀ ହୋଇରହିବ । ଏହି ମଣିଷ ଖିଆ ବାଘଟି ତିନି ଜଣଙ୍କୁ ଅତି ନିର୍ମମ ଭାବେ ଝୁଣି ଖାଇ ଯାଇଥିଲା । ବାଘଟିକୁ ବାରବାର ଜଙ୍ଗଲକୁ ଛଡ଼ା ଯାଉଥିଲେ ବି ଏହା ସବୁବେଳେ ଜନବସତି ଆଡ଼କୁ ପଶିଆସି ଆତଙ୍କ ସୃଷ୍ଟି କରୁଛି । ମାନବଜୀବନ ପ୍ରତି ଏହା ବିପଦଜନକ ହୋଇଥିବାରୁ ୨୦୧୯ ଏନଟିସିଏ ଗାଇଡ଼ଲାଇନ ଅନୁସାରେ ସବୁଦିନ ପାଇଁ ବାଘଟିକୁ ଏନକ୍ଲୋଜର ଭିତରେ ରଖିବାକୁ ନିଷ୍ପତି ନିଆଯାଇଛି ।୨୦୧୮ରେ ତିନି ଜଣଙ୍କୁ ମାରି ସାରିବା ପରେ ଏହି ବାଘଟି ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ମଧ୍ୟପ୍ରଦେଶର ବେଟୁଲ ମଧ୍ୟରେ ବିଚରଣ କରି ଆସୁଥିଲା । ପରେ ତାକୁ ଧରାଯାଇ କାହ୍ନା ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା । ଆଶା କରାଯାଉଥିଲା ବାଘଟି ପ୍ରାକୃତିକ ପରିବେଶ ଭିତରେ ରହିଲେ ମଣିଷ ଖିଆ ପ୍ରକୃତି ଛାଡ଼ିଦେବ । କିନ୍ତୁ ବାଘଟି ବାରମ୍ବାର ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳିଥିଲା । ବାଘଟି ମହାରାଷ୍ଟ୍ରର ଚନ୍ଦ୍ରପୁର ପାୱାର ଷ୍ଟେସନ ନିକଟରେ ଜନ୍ମ ହୋଇଥିବାରୁ ଏହାର ପ୍ରକୃତି ଏଭଳି ବୋଲି ଜଣାପଡ଼ିଥିଲା । ତେଣୁ ବାଧ୍ୟହୋଇ ଉକ୍ତ ବାଘକୁ ସାରା ଜୀବନ ପାଇଁ ଏନକ୍ଲୋଜର ଭିତରେ ରଖିବାକୁ ନିଷ୍ପତି ନିଆଯାଇଛି ।


