ଋଷିକୂଲ୍ୟା କଲେଜ ନାମ ଫଳକ ଭଙ୍ଗାକୁ ନେଇ ପୁଣି ବିବାଦ
ସୋରଡ଼ା, (ରଜନୀ ମହାପାତ୍ର): ସୋରଡ଼ା ଋଷିକୂଲ୍ୟା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଋଷିକୂଲ୍ୟା ସ୍ନାତ୍ତକ ମାବିଦ୍ୟାଳୟ ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି । ସୋରଡ଼ା ସ୍ଥିତ ଏହି ଦୁଇଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଦୀର୍ଘ ୮ ବର୍ଷ ହେଲା ଜମି ବିବାଦ ଲାଗି ରହିଛି । ଏହି ଭିତରେ ଦୁଇ ଆଇଏଏସ୍ ଓ ଚାରି ଜଣ ତହସିଲଦାର ସୋରଡ଼ା ଓ ଗଞ୍ଜାମ ଜିଲ୍ଲାରେ ଆଜି ବଦଳି ହୋଇଗଲେଣି ତଥାପି ଉକ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ ହେଲା ଉଭୟ ଶିକ୍ଷାନୁଷ୍ଠାନ ପାଇଁ ବଡ଼ଗଡ଼ ରାଜପରିବାର ୧୧ ଏକର ଜମି ସୋରଡ଼ାର ଉଚ୍ଚ ଶିକ୍ଷା ଭବିଷ୍ୟତ ପାଇଁ ଦାନ ଆକାରରେ ଦେଇଛନ୍ତି । ଯେଉଁଥିରେ ଗଢ଼ି ହୋଇଛି ଦୁଇ ଶିକ୍ଷାନୁଷ୍ଠାନ । ୧୯୭୮ ମସିହାରେ ସୋରଡ଼ାରେ ଆରମ୍ଭ ହେଲା ଋଷିକୂଲ୍ୟା ମହାବିଦ୍ୟାଳୟଏବେ ଏହି ମହାବିଦ୍ୟାଳୟ ୪୭ ବର୍ଷ ପୁରୁଣା, ସେହିପରି ୧୯୯୬ ମସିହାରେ ଆରମ୍ଭ ହୋଇଥିଲା ଋଷିକୂଲ୍ୟା ସ୍ନାତ୍ତକ ମହାବିଦ୍ୟାଳୟ, ଏହାକୁ ୨୪ ବର୍ଷ ପୁରିଲାଣି । ୨୦୧୨ ମସିହାରେ ରାଜ୍ୟ ସରକାର ଯୁକ୍ତ ଦୁଇ ଓ ଯୁକ୍ତ ତିନିକୁ ଅଲଗା କରିବା ପାଇଁ ନିଷ୍ପତ୍ତି ନେଲେ । ୧୯୯୬ରୁ ୨୦୧୨ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଅନୁଷ୍ଠାନ ଗୋଟିଏ କ୍ୟାମ୍ପସ୍ରେ ଚାଲିବା ସହ ସବୁ ଠିକ୍ ଠାକ୍ ଥିଲା । ୨୦୧୨ରେ ଯୁକ୍ତ ଦୁଇ ବିଭାଗ ଗଲା ଗଣଶିକ୍ଷା ବିଭାଗ ଅଧିନକୁ ଓ ଯୁକ୍ତ ତିନି ରହିଲା ଉଚ୍ଚଶିକ୍ଷା ବିଭାଗ ଅଧିନରେ । ଗୋଟିଏ କ୍ୟାମ୍ପସରେ ଦୁଇଟି ଶିକ୍ଷାନୁଷ୍ଠାନ ରହିଲେ ବାଧ୍ୟ ଉଭୟଙ୍କ ଅଲଗା ଅଲଗା କାର୍ଯ୍ୟାଳୟ ଓ ଶ୍ରେଣୀ ଗୃହ ପାଇଁ ବଢ଼ିଲା ବିବାଦ । ଯୁକ୍ତ ଦୁଇର ନାମ କରଣ ହେଲା ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୨୦୧୨ ମସିହାରେ ରାଜ୍ୟସରକାରଙ୍କ ନିଷ୍ପତ୍ତି ପରେ ସୋରଡ଼ାର ଉଚ୍ଚଶିକ୍ଷା ପାଇଁ ଉଦ୍ଧିଷ୍ଟ ୧୧ ଏକର ଜମିକୁ ଏଯାବତ ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିଜସ୍ୱ ବୋଲି ଦାବି କରିବା ସହ ଏଠାରୁ କିପରି ଯୁକ୍ତ ତିନି ଉଠିବ ସେଥି ପାଇଁ ଚକ୍ରାନ୍ତ ଆରମ୍ଭ କରିଛି । ଏହି ବିବାଦ ନଛିଡ଼ିବା ପୂର୍ବରୁ ବର୍ତ୍ତମାନ ନୂତନ ଏକ ବିବାଦ ଆରମ୍ଭ ହୋଇଛି । ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଇଁ ମହାବିଦ୍ୟାଳୟ ପ୍ରବେଶରେ ଋଷିକୂଲ୍ୟା ମହାବିଦ୍ୟାଳୟର ବୋଲି ଗୋଟିଏ ନାମ ଫଳକ ଗେଟ ରହିଥିଲା । ବର୍ତ୍ତମାନ ଗେଟ୍ ଟିକୁ ଭାଙ୍ଗି ଦିଆଯାଇଛି । ପୂର୍ବରୁ ଗେଟ୍କୁ ଭାଙ୍ଗିବା ପାଇଁ କୁଚକ୍ରାନ୍ତ ଚାଲିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ କାର୍ଯ୍ୟାଳୟକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯେଉଁଥିରେ ସ୍ପଷ୍ଟଭାବେ ଲେଖା ହୋଇଥିଲା ଯେ, ଗୋଟିଏ କ୍ୟାମ୍ପସରେ ଦୁଇଟି ଶିକ୍ଷାନୁଷ୍ଠାନ ଚାଲୁଥିବା ହେତୁ ଏଥିରେ ଯେକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଦୁଇ ଅଧ୍ୟକ୍ଷଙ୍କ ଆପୋସ ଆଲୋଚନାରେ କରାଯିବ । ବର୍ତ୍ତମାନ ଏଠାରେ ଥିବା ନାମ ଫଳକ ଗୋଟିଏ ଦୁଇଟି ବିଦ୍ୟାଳୟର ଶୋଭାବର୍ଦ୍ଧନ କରୁଥିବା ବେଳେ ୧୧ ଏକର ଜମି ମଧ୍ୟ ଏହି ନାମ ଫଳକ ଅନୁସାରେ ରହିଛି । ଗେଟ୍ ଟିକୁ ଭାଙ୍ଗିବା ପୂର୍ବରୁ ଯୁକ୍ତ ତିନି ଅଧ୍ୟକ୍ଷଙ୍କ ପରାମର୍ଶ ନେବା କଥା, କିନ୍ତୁ ତାହା ହୋଇନାହିଁ । ଅନ୍ୟପଟେ କରୋନା ସଂକ୍ରମଣ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରି ସ୍ଥଳେ ସରକାରୀ ନିର୍ଦ୍ଦେଶନାମାକୁ ଉଲଂଘନ କରି କାହାର ପରାମର୍ଶ ନ ନେଇ କପରି ଗେଟ ଭଙ୍ଗା ଗଲା ତାହା ତଦନ୍ତ ସାପେକ୍ଷ । ଗେଟ୍ ଭାଙ୍ଗିବା ପାଇଁ କିଏ ନିର୍ଦ୍ଦେଶ ଦେଲା ଏବଂ ଶିକ୍ଷାନୁଷ୍ଠାନ ଜମି ପାଇଁ କଣ ନିର୍ଦ୍ଦେଶ ରହିଛି ତାହା ତଦନ୍ତ ସାପେକ୍ଷ । କିପରି ଏଥି ନିମନ୍ତେ ଟଙ୍କା ପାସ୍ କରାଗଲା ଓ କେବେ କଲେଜର ଅନୁମୋଦନ ହେଲା ଓ କିଏ କଲେଜର ଅନୁମୋଦନ ଦେଲା କିପରି କଟକଣାକୁ ଫାଙ୍କି ଦିଆଗଲା ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏପରି ଏକଛତ୍ରବାଦ ନିଷ୍ପତ୍ତି ଓ ଶିକ୍ଷାନୁଷ୍ଠାନକୁ ନେଇ ଖେଳୁଥିବା ବ୍ୟକ୍ତିଙ୍କୁ ଦେବା ପାଇଁ ଋଷିକୂଲ୍ୟା ସ୍ନାତ୍ତକ ବିଦ୍ୟାଳୟ ତରଫରୁ ସୋରଡ଼ା ଥାନାରେ ଅଭିଯୋଗ କରାଯାଇଛି । ଏହି ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ମଧ୍ୟ ଏହି ନିର୍ମାଣ କାର୍ଯ୍ୟକୁ ନିନ୍ଦା କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବା ସହ ଥାନାରେ ସମୂହ ମାମଲା ଦାୟର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।