କାନରୁ ବାହାରିଲା ଜୀବନ୍ତ ଝିଟିପିଟି
ସାଧାରଣତଃ ଗାଧୋଇବା ସମୟରେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥାଏ । ଅନେକ ସମୟରେ ପିମ୍ପୁଡ଼ି କିମ୍ବା ଅନ୍ୟ କିଛି କାନରେ ପଶିଲେ କଷ୍ଟ ହୋଇଥାଏ । ମାତ୍ର ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଘଟିଥିବା ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏଠାକାର ଜଣେ ମହିଳାଙ୍କ କାନ ଦୁଇ ଦିନ ଧରି କୁଣ୍ଡେଇ ହେବା ସହ ଯନ୍ତ୍ରଣା ହେଉଥିଲା । ଏ ନେଇ ସେ ଡାକ୍ତରଖାନା ଯାଇଥିଲେ । ଡାକ୍ତର ପରୀକ୍ଷା କରିବା ପରେ ତାଙ୍କ କାନରେ ଛୋଟ କୀଟ ପଶିଥିବା ସନ୍ଦେହ କରି ଆଣ୍ଟିବାୟୋଟିକ ଡ୍ରପ ପକାଇଥିଲେ । ଏହା ପକାଇବା ପରେ କାନରୁ ପୋକ ବାହାରିଯିବ ବୋଲି ସେ ଭାବିଥିଲେ । ମାତ୍ର ସେପରି ହୋଇ ନ ଥିଲା । ପରେ ସେ ଚିମୁଟାର ସାହାଯ୍ୟ ନେଇଥିଲେ । କିଛି ସମୟ ପରେ ଯାହା କାନରୁ ବାହାରିଲା ତାହା ମହିଳାଙ୍କ ସହ ଅନ୍ୟମାନେ ଦେଖି ତାଜୁବ ହୋଇଯାଇଥିଲେ । କାରଣ ତାଙ୍କ କାନରୁ ଏକ ଜୀବନ୍ତ ଝିଟିପିଟି ବାହାରିଥିଲା । ଏ ନେଇ ଡାକ୍ତର ଜଣଙ୍କ ଫେସ୍ବୁକ ପୋଷ୍ଟ କରି ଜଣାଇଛନ୍ତି । ତେବେ ଚିକିତ୍ସା ପରେ ଏବେ ସମ୍ପୃକ୍ତା ମହିଳା ସୁସ୍ଥ ଥିବା ସେ କହିଛନ୍ତି ।


