ଗଜପତି ଜିଲ୍ଲାସ୍ତରୀୟ ମକ୍ଡ୍ରିଲ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାସ୍ତରୀୟ ମକ୍ଡ୍ରିଲ ପାଇଁ ଏକ ପୁର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଆନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭିଡିଓ କନଫେରେସିଂ ହଲ୍ ଠାରେ ଏହି ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଉପସ୍ଥିତ ଥିଲେ । କାଶୀନଗର ଠାରେ ୨ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳ ରହିଥିବା ବେଳେ ସେଠାରେ ମକ୍ଡ୍ରିଲ ପାଇଁ ପୁର୍ବ ପ୍ରସ୍ତୁତି ଆଲୋଚନା କରାଯାଇଛି । ଏହି ପ୍ରସ୍ତୁତି ଆସନ୍ତା ୧୯ତାରିଖ ଦିନ କାଶୀନଗରର ଭୁପତି ଲକ୍ଷ୍ମିପୁର ଓ ପାର୍ତ୍ତଡା ଗ୍ରାମରେ ହେବା ପାଇଁ ସ୍ଥିର ହୋଇଛି । ସେହିପରି ଭାବେ ଗୋଷାଣୀ,ରାୟଗଡ,ଆର.ଉଦୟଗିରି,ନୁଆଗଡ,ମୋହନା ଓ ଗୁମ୍ମା ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ମାନଙ୍କରେ ମକ୍ଡ୍ରିଲ କାର୍ଯକ୍ରମ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବିଡିଓ ଓ ତହସିଲଦାରମାନଙ୍କୁ କୋଭିଡ୍-୧୯ ନିୟମକୁ ଆଖି ଆଗରେ ରଖି ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ଉଦ୍ଧାରକାରୀ ଦଳ ସମସ୍ତ କିଟ୍ ପରିଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଆବଶ୍ୟକୀୟ ସରଞ୍ଜାମ ବ୍ୟବସ୍ଥା କରିବାକୁ ବିଡିଓ ଏବଂ ତହସିଲଦାର ମାନଙ୍କୁ କୁହାଯାଇଛି । ବନ୍ୟା ଓ ବାତ୍ୟା ସମୟରେ ଯେଉଁ ଗ୍ରାମ ଗୁଡିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି ସେମାନଙ୍କୁ କିପରି ଆଶ୍ରୟ ସ୍ଥଳକୁ ନିଆଯିବ ଓ ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚିବ ସେଗୁଡିକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ,ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।


