ଡ଼ୁକୁରା ବଜାର ସହିତ ଆଖପାଖ ଅଂଚଳ ୭୨ ଘଂଟା ସଟ୍ ଡ଼ାଉନ ଘୋଷଣା
ବାରିପଦା, (ଓ୍ବାଇଏନ୍ଏସ୍) : ଶନିବାର ୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୧୦୮ରେ ପହଁଚିଛି । ପ୍ରଥମ ଥର ଖୁଂଟା, ରରୁଆଁ ଓ କୁଳିଅଣା ବ୍ଲକ୍ ଅଂଚଳକୁ କରୋନା ଛୁଇଁଥିବା ବେଳେ ଖୁଂଟା ଓ ବଡ଼ସାହି ବ୍ଲକରେ ୨ଟି ଲେଖାଏଁ ମୋଟ୍ ୪ ପଜିଟିଭ ମାମଲା ଲୋକାଲ କଂଟାକ୍ଟରୁ ଆସିଛି । ସେହିପରି ବାରିପଦା ବ୍ଲକରୁ ୧, କୁଳିଅଣା ବ୍ଲକରୁ ୧, ରରୁଆଁ ବ୍ଲକରୁ ୧, ଶୁଳିଆପଦା ବ୍ଲକରୁ ୧ ଓ ମୋରଡ଼ା ବ୍ଲକରୁ ୧ ମୋଟ୍ ୫ ଜଣ ସ୍ଥାନୀୟ କ୍ୱାରେଂଟାଇନ ସେଂଟରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କର୍ଣ୍ଣାଟକ ଫେରନ୍ତା ୧, ପଶ୍ଚିମବଙ୍ଗ ଫେରନ୍ତା ୨, ମହାରାଷ୍ଟ୍ର ଫେରନ୍ତା ୧ ଓ ତାମିଲନାଡ଼ୁ ଫେରନ୍ତା ୧ ରହିଥିବା ସମୟରେ ସମସ୍ତ କରୋନା ସଂକ୍ରମିତମାନଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ଯାଂଚ୍ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ୯ କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୯୯ରୁ ବୃଦ୍ଧି ପାଇ ୧୦୮ରେ ପହଁଚିଛି । ସଂକ୍ରମିତମାନଙ୍କ ମଧ୍ୟରୁ ୨୬ ଜଣ ସୁସ୍ଥ ହୋଇ ଫେରି ଆସିଥିବା ବେଳେ ସକ୍ରିୟ ଥିବା ୮୨ ଜଣଙ୍କର ବାରିପଦା ବ୍ଲକ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଚିକିତ୍ସା ଜାରି ରହିଥିବାର ଜଣାପଡ଼ିଛି । ବର୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାର ୧୯ଟି ବ୍ଲକ୍ ଓ ଗୋଟାଏ ପୌରପରିଷଦରେ କରୋନା ତାର କାୟା ବିସ୍ତାର କରିସାରିଛି । ଖୁଂଟା ବ୍ଲକ ବଡ଼ଫେଣି ପଚାଂୟତର ଜଣେ ୩୫ ବର୍ଷିୟ ଟ୍ରାକ୍ଟର ଚାଳକ ସହ ଡ଼ୁକୁରା ପଚାଂୟତର ଜଣେ ୧୨ ବର୍ଷର ନାବାଳକ ଏବଂ ବଡ଼ସାହି ବ୍ଲକ ଖାନୁଆ ପଚାଂୟତର ୧୧ ବର୍ଷର ନାବାଳକ ଗତ ମଙ୍ଗଳବାର ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ନିମନ୍ତେ ଡ଼ୁକୁରା ହସପିଟାଲକୁ ଯାଇଥିଲେ । ଏମାନଙ୍କ ନିକଟରେ କୋଭିଡ଼-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ପରିଲକ୍ଷିତ ହେବା ପରେ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଥିବାର ଜଣାପଡ଼ିବା ପରେ ପୁଲିସ, ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ଗ୍ରାମରେ ପହଁଚି ସ୍ଥାନୀୟ ସରପଚଂଙ୍କ ଉପସ୍ଥିତିରେ ସଂକ୍ରମିତମାନଙ୍କୁ କୋଭିଡ଼୍ ହସପିଟାଲକୁ ପଠାଇଥିଲେ । ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିମାନଙ୍କର ତାଲିକା ପ୍ରସ୍ତୁତ କରିବା ପରେ ସେମାନଙ୍କୁ ହୋମ କ୍ୱରେଂଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଦମକଳ ବାହିନୀ ପହଁଚି ଡ଼ୁକୁରା ପଚାଂୟତ ସହିତ ଆଖପାଖ ଗ୍ରାମକୁ ସାନିଟାଇଜ କରାଇଥିଲେ । ଏହାପରେ ଡ଼ୁକୁରା ସରପଚଂ ଚିତରଞ୍ଜନ ନାୟକ ଓ ପ୍ରତାପପୁର ସରପଚଂ ସସ୍ମୀତା ନାଏକ ଜିଲ୍ଲାପାଳଙ୍କ କ୍ଷମତାକୁ ପ୍ରୟୋଗ କରି ପଚାଂୟତକୁ ୭୨ ଘଂଟା ପର୍ଯ୍ୟନ୍ତ ସଟ୍ର୍ ଡ଼ାଉନ ଘୋଷଣା କରିଛନ୍ତି । ସେହିପରି ବଡ଼ସାହି ବ୍ଲକ କେନ୍ଦୁଡ଼ିହା ପଚାଂୟତର ଜଣେ କଲେଜ ଛାତ୍ରଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମଧ୍ୟ ବାଙ୍କିଶୋଳ କୋଭିଡ଼ ହସପିଟାଲକୁ ନିଆଯାଇଥିବା ସମୟରେ ଗତ ଜୁନ ୬ରେ ବଡ଼ସାହି ବ୍ଲକ ପ୍ରତାପପୁର ପଚାଂୟତର ଜଣେ ୨୫ ବର୍ଷୀୟାଙ୍କ ରିପୋର୍ଟ ପଜିଟିଭ ବାହାରି ଥିଲା । ଉକ୍ତ ମହିଳା ଚିକିତ୍ସା ନିମନ୍ତେ ଡ଼ୁକୁରା ସିଏଚସିକୁ ଆସିଥିବା ସମୟରେ ୨ ଜଣ ଡ଼ାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଟେକ୍ନିସିଆନ ଓ ଜଣେ ଷ୍ଟାଫ ନର୍ସଙ୍କ ସମେତ ଏଏନଏମ, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ । ତେଣୁ ସେମାନଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ହୋମ କ୍ୱରେଂଟାଇନରେ ରହିବାକୁ କୁହାଯାଇଛି । ତେବେ ଲୋକାଲ କଂଟାକ୍ଟରୁ ପଜିଟିଭ୍ ଚିହ୍ନଟଙ୍କ ଯାତ୍ରା ବିବରଣୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଂଚ୍ କରାଯାଉଛି ।