ମହାଦେବଙ୍କ ଠାରେ ଜଳଲାଗି କରି ମାନସିକ ପୁରଣ କଲେ କାଉଡ଼ିଆ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଧାର୍ମିକ ଶ୍ରାବଶ ମାସ ପ୍ରଥମ ସୋମବାର ଉପଲକ୍ଷେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ସମସ୍ତ ଶୈବପୀଠ ଗୁଡ଼ିକ ଚଳଚଂଚଳ ହୋଇପଡ଼ିଛି । ଏଥି ସକାଶେ ସ୍ଥାନୀୟ ଅଂଚଳ କାଉଡ଼ିଆ ମାନଙ୍କ ବୋଲବୋମ ଶବ୍ଦରେ ଗାଁ ଠାରୁ ସହର ପ୍ରକମ୍ପିତ ହୋଇ ପଡ଼ିଛି । କାଉଡ଼ିଆ ମାନେ ନିଜର ମାନସିକ ପୂରଣ କରିବା ଲାଗି ଗେରୁଆ ବସ୍ତ୍ର ପରିଧାନ ପୂର୍ବକ ପୂଜାପାଠ ଓ ହୋମ କରି ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ମହାଦେବଙ୍କ ପୀଠରେ ଜଳଲାଗି କରିଥିଲେ । ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ଶତାଧିକ କାଉଡ଼ିଆ ଆସିକା ଋଷିକୁଲ୍ୟା ନଦୀରୁ ଜଳ ଧାରଣ କରି ହିଂଜିଳିକାଟୁ ଚନ୍ଦ୍ରକଳ୍ପେଶ୍ୱର ମହାଦେବଙ୍କପୀଠରେ ଜଳଲାଗି କରିଥିଲେ । ସିନେମାହଲ ଛକ ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ବୋଲବମ ସଙ୍ଘର ଶତାଧିକ କାଉଡ଼ିଆ ଆସିକା ଋଷିକୁଲ୍ୟା ନଦୀରୁ ଜଳ ଧାରଣ କରି ରାମକୃଷ୍ଣପୁର ସ୍ଥିତ ଲୋକେନାଥେଶ୍ୱରଙ୍କ ପୀଠରେ ଜଳଲାଗି କରିଥିଲେ । ସେହିପରି ହିଂଜିଳିକାଟୁ ପୌରାଂଚଳ ନୂଆଁଗଡ଼ ବୋଲବମ ସଙ୍ଘର ବହୁ କାଉଡ଼ିିଆ ଆସିକା ଋଷିକୁଲ୍ୟା ନଦୀରୁ ଜଳ ଧାରଣ କରି ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଜଳଲାଗି କରିଥିଲେ । ଅନୁରୂପ ଭାବେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ବୋଲବମ ସଙ୍ଘର କାଉଡ଼ିଆ ମାନେ ଗଂଜାମ ଜିଲ୍ଲା ସମେତ ନିକଟବର୍ତି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡ଼ିକରେ ଜଳଲାଗି କରି ନିଜ ନିଜର ମାନସିକ ପୂରଣ କରିଥିଲେ । ହିଂଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ଆଙ୍କୋରଡ଼ା ସ୍ଥିତ କପିଳେଶ୍ୱର, ନୂଆଁଗଡ଼ ସ୍ଥିତ ବାଲୁଙ୍କେଶ୍ୱର, ହିଂଜିଳି ସ୍ଥିତ ସପ୍ନେଶ୍ୱର, ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ସ୍ଥିତ ପଶ୍ଚିମାଭିମୁଖୀ କାଶୀବିଶ୍ୱନାଥ, ହିଂଜିଳିକାଟୁ ବ୍ଳକ ନୂଆଁବୁରୁପୋଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର,ଆଡ଼ପଡ଼ାର ଇଶାଣେଶ୍ୱର, ଅନ୍ତରିଗାଁର ଗୁପ୍ତେଶ୍ୱର ସମେତ ନିକଟବର୍ତି ଅଂଚଳର ସମସ୍ତ ଶୈବପୀଠ ଗୁଡ଼ିକରେ ଦିନତମାମ ଶୈବଭକ୍ତ ସମେତ କାଉଡ଼ିଆ ମାନଙ୍କ ଗହଳି ଲାଗି ରହିଥିଲା


