ଗଂଜେଇ ଚୋରା ଚାଲାଣ : ପଲ୍ଲୀରୁ ଦିଲ୍ଲୀ ଯାଏଁ ଲମ୍ବିଛି ଚେର

ଗଂଜେଇ ଚୋରା ଚାଲାଣ : ପଲ୍ଲୀରୁ ଦିଲ୍ଲୀ ଯାଏଁ ଲମ୍ବିଛି ଚେର
ଗଂଜେଇ ଚୋରା ଚାଲାଣ : ପଲ୍ଲୀରୁ ଦିଲ୍ଲୀ ଯାଏଁ ଲମ୍ବିଛି ଚେର

ହିଂଜିଳିକାଟୁ,୨୨ା୭ (ଶେଷଦେବ ସାହୁ) : ସାରା ରାଜ୍ୟରେ ଚୋରା ଗଂଜେଇ କାରବାର ଦିନୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପଲ୍ଲୀ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଗଂଜେଇ ଚୋରା ଚାଲାଣ କରାଯାଉଥିବାର ଏକ ସ୍ପଷ୍ଟ ନମୁନା ଦେଖିବାକୁ ମିଳିଛି । ରବିବାର ସନ୍ଧ୍ୟାରେ ହିଂଜିଳି ପୋଲିସ ୫୯ ନଂ ଜାତୀୟ ରାଜପଥ ଖଣ୍ଡରା ଛକ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଏକ କାରକୁ ଅଟକାଇ ତନଖି କଲାବେଳେ କାର ମଧ୍ୟରୁ ୪୫ କିଲୋ ଓଜନର ଗଂଜେଇ ଜବତ କରିବାରେ ସକ୍ଷମ ହୋଇଛି । ଗଂଜେଇ ଚାଲାଣ କରାଯାଉଥିବା ଏକ ଚେଭ୍ରୋଲେଟ କାର (ଡ଼ିଏଲ୩ସି ବିଏସ ୪୩୦୦)କୁ ଜବତ କରାଯିବା ସହ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ କାର ଚାଳକ ଦିଲ୍ଲୀ ରାଣିଖେଡ଼ା ଥାନା ମଦନପୁର ଦାବାସ ଗ୍ରାମର ଆଶିଷ କୁମାର (୨୦), ବିହାର ରାଜ୍ୟ ରଘୁଆ ବୈଶାଳିବିହାର ଥାନା ମିରାମପୁର ଗ୍ରାମର ନାନହକ୍ ରାୟ, ଓ ଦିଲ୍ଲୀ କଂଜଳା ଥାନା ଦନ୍ନୁ ଗ୍ରାମର ସୁରଜ ମଣ୍ଡଳ ଓରଫ ହିମାଂଶୁ (୨୦) । ଏ ନେଇ ହିଂଜିଳି ଥାନା କେଶ ନଂ- ୧୮୪/୧୯ ରେ ଏକ ମାମଲା ରୁଜୁ କରି ଗିରଫ ସମସ୍ତ ବ୍ୟକ୍ତିଙ୍କୁ ଛତ୍ରପୁର ସିଜନ କୋର୍ଟକୁ ଚାଲାଣ କରାଯାଇଥିବା ନେଇ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଓ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ପୋଲିସ ସୁତ୍ରରୁ ପ୍ରକାଶ ଯେ, ରବିବାର ସନ୍ଧ୍ୟାରେ ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶ କ୍ରମେ ହିଂଜିଳି ପୋଲିସର ଏକ ଟିମ ପେଟ୍ରୋଲିଂ କରୁଥିବା ବେଳେ କନ୍ଧମାଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାରକୁ ସନ୍ଦେହ କରି ୫୯ ନଂ ଜାତୀୟ ରାଜପଥ ଖଣ୍ଡରା ଛକ ନିକଟରେ ଅଟକାଇଥିଲେ । କାରର ଡ଼ିକି ଖୋଲିବାକୁ କହିବାରୁ କାର ଡ଼ିକି ମଧ୍ୟରେ ଭାରତ ମସଲା ଓ ଡ଼ାଲି ଜାତୀୟ ମସଲା ପ୍ୟାକେଟ ଥିବା ନେଇ କାରରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ସଫେଇ ଦେଇଥିଲେ । କାରକୁ ଯାଂଚ କଲାବେଳେ ୩୬ କିଲୋ ଓ ୯ କିଲୋ ଓଜନର (ସମୁଦାୟ ୪୫ କିଲୋ )୨ ଟି ବ୍ୟାଗରେ ଗଂଜେଇ ଥିବାର ଦେଖି ଜବତ କରିବା ସହ କାରକୁ ଜବତ କରିଥିଲେ ଏବଂ କାରରେ ଥିବା ଚାଳକ ସମେତ ୩ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ପଚରା ଉଚରା ସମୟରେ ସେମାନେ କନ୍ଧମାଳ ଜିଲ୍ଲାରୁ ଗଂଜେଇ ନେଇ ଦିଲ୍ଲୀକୁ ରପ୍ତାନି କରୁଥିବା ସ୍ୱୀକାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ