ଦୁଇଟି ଟିମ୍‌ ବାରାକ ସାହିର ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଂଚ କଲେ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବାରାକ ସାହିର ଗୋଟିଏ ପରିବାରର ଦୁଇ ଜଣ ଶୁକ୍ରବାର ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ସାହିକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ଚିହ୍ନଟ ହୋଇଥିବା ଦୁଇ ଜଣଙ୍କୁ ଟାଟା କୋଭିଡ଼ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରାକ ସାହିର ପୁଲିସ ବାରାକଠାରୁ ଜି.ସାନ୍ତାମ୍ମା ଘର ପର୍ଯ୍ୟନ୍ତ ଇଲାକାକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି । ଏହାସହ ଏହି ଅଂଚଳ ସଲଗ୍ନ ବିଦ୍ୟାଧରନଗର, ରାମକୃଷ୍ଣନଗର, ଶଙ୍କର ମଠସାହି ଏବଂ ରିକାପଲ୍ଲୀ ଛକକୁ ପ୍ରଶାସନ ପକ୍ଷରୁ ବଫର ଜୋନ ଘୋଷଣା କରାଯାଇଛି । ନିଷିଦ୍ଧାଂଚଳର ଲୋକମାନେ ବାହାରକୁ ବାହାରିବାକୁ ବାରଣ କରାଯାଇଛି । ଜରୁରୀ କାର୍ଯ୍ୟ ନଥିଲେ ବାହାରକୁ ଯିବାକୁ ଏବଂ ବାହାରେ ବୁଲାବୁଲି କରିବା ଉପରେ ବଫର ଜୋନ ବାସିନ୍ଦାଙ୍କୁ ମଧ୍ୟ କଟକଣା ଜାରି କରାଯାଇଛି । ସାହି ବାସିନ୍ଦାଙ୍କ ସୁରକ୍ଷା ନିମନ୍ତେ ଶନିବାର ଏନଏସି ପକ୍ଷରୁ ଛତ୍ରପୁର ଦମକଳ ବାହିନୀଙ୍କ କର୍ମଚାରୀଙ୍କ ଦ୍ୱାରା ବିଶୋଧନ କରାଯାଇଥିବାବେଳେ ରବିବାର ସକାଳୁ ଦୁଇଟି ଟିମ୍ ଦ୍ୱାରା ସାହିର ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଂଚ କରିବା ସହ ଲକ୍ଷଣ ଉପରେ ବିଭିନ୍ନ ଡାଟା ସଂଗ୍ରହ କରାଯାଇଛି । ସାହିର ୧୧୨ ପରିବାରର ୪୦୮ ଜଣ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଥିବା ଅଙ୍ଗନବାଡ଼ି କର୍ମୀ ମଞ୍ଜୁବାଳା ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗୋଟିଏ ଟିମରେ ଅଙ୍ଗନବାଡ଼ି କର୍ମୀ ମଞ୍ଜୁବାଳା ପାଣିଗ୍ରାହୀ ଓ ସ୍ୱାସ୍ଥ୍ୟ ବିଭାଗର ଟିଟୁ ବେହେରା ରହିଥିବାବେଳେ ଆଉ ଗୋଟିଏ ଟିମରେ ଅଙ୍ଗନବାଡ଼ି କର୍ମୀ ଝୁନୁ ବେହେରା ଏବଂ ସ୍ୱାସ୍ଥ୍ୟ ବିଭାଗର ଅବୀର କୁମାର ସାହୁ ରହିଛନ୍ତି । ଏହି ଦୁଇଟି ଟିମ୍ ଲୋକମାନଙ୍କୁ କରୋନା ମୁକାବିଲା ଉପରେ ମଧ୍ୟ ସଚେତନ କରିଛନ୍ତି । ଅପରପକ୍ଷରେ ସାହି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ ଯେହେତୁ ଆମ ସାହିକୁ ନିଷିଦ୍ଧାଂଚଳ ଘୋଷଣା କରାଯାଇଛି, ତେଣୁ ସମସ୍ତଙ୍କର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଙ୍କ ଜରିଆରେ ସ୍ୱାବ୍ ଟେଷ୍ଟ କରିବା ନିମନ୍ତେ ସାହି ବାସିନ୍ଦାମାନେ ଉକ୍ତ ଦୁଇଟି ଟିମକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ