ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କ୍ରମାଗତ ଭାବେ ଗତ ତିନିମାସ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ କରର ବୃଦ୍ଧି କରି କରୋନା ଜନିତ ଲକଡାଉନ ସମୟରେ ଭାରତୀୟ ଲୋକମାମଙ୍କ ଉପରେ ଦୁଃଖ ଓ ଯନ୍ତ୍ରଣା ଲଦି ଦେଇଛି । ମୋଦି ସରକାର ଏଭଳି ଅଗଣତାନ୍ତ୍ରିକ ଭାବେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ବୃଦ୍ଧି କରି ଲୋକଙ୍କ ଦୁଃଖରୁ ଫାଇଦା ଉଠାଉଛନ୍ତି । କେନ୍ଦ୍ରରେ ବିଜେପି ସରକାର ୨୦୧୪ରେ ଆସିବା ପରେ ପେଟ୍ରୋଲ ଉପରେ ଲିଟର ପିଛା ୯ଟଙ୍କା ୨୦ପଇସା ଓ ଡିଜେଲ ଉପରେ ଲିଟର ପିଛା ୩ଟଙ୍କା ୪୬ପଇସା କେନ୍ଦ୍ରୀୟ ଅବକାରୀ ଶୁଳ୍କ ଥିବାବେଳେ ଗତ ୬ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୨୩ଟଙ୍କା ୭୮ପଇସା ଓ ଡିଜେଲ ଉପରେ ଲିଟର ପିଛା ୨୮ଟଙ୍କା ୩୭ପଇସା ଅଧିକ ଅବକାରୀ ଶୁଳ୍କ ବୃଦ୍ଧି କରିଛନ୍ତି । ଏହା ଡିଜେଲ ଦରରେ ୮୨୦ ପ୍ରତିଶତ ଓ ପେଟ୍ରୋଲ ଦରରେ ୨୫୮ ପ୍ରତିଶତ ଅବକାରୀ ଶୁଳ୍କରେ ବୃଦ୍ଧି କରାଯାଇଛି । ମୋଦି ସରକାର କେବଳ ପେଟ୍ରୋଲ ଓ ଡିଜେଲ ଉପରେ ଅବକାରୀ ଶୁଳ୍କ ବୃଦ୍ଧି କରି ୧୮ଲକ୍ଷ ଟଙ୍କା ରୋଜଗାର କରିଥିବା କଂଗ୍ରେସ କହିଛି । ଲକଡାଉନର ତିନିମାସ ମଧ୍ୟରେ ଏଭଳି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ଲୋକଙ୍କୁ କେନ୍ଦ୍ର ସରକାର ଶୋଷଣ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଶେଷ ସାଢେତିନିମାସ ମଧ୍ୟରେ କେନ୍ଦ୍ରର ବିଜେପି ସରକାର ପେଟ୍ରୋଲ ଲିଟର ଉପରେ ୨୧ଟଙ୍କା ୫୦ପଇସା ଓ ଡିଜେଲ ଲିଟର ଉପରେ ୨୬ଟଙ୍କା ୪୮ପଇସା କେନ୍ଦ୍ରୀୟ ଅବକାରୀ ଶୁଳ୍କ ବୃଦ୍ଧି କରିଛି ଯାହା ସରକାର ଦ୍ୱାରା ଲୋକଙ୍କୁ ଶୋଷଣ ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସର ୟୁପିଏ ସରକାର କ୍ଷମତାରେ ଥିବା ବେଳେ ତୈଳଦର ବ୍ୟାରେଲ ପ୍ରତି ୟୁଏସ ଡଲାର ୧୦୮ ଥିବା ବେଳେ ୨୦୨୦ ଜୁନ ୨୪ସୁଦ୍ଧା ତାହା ହ୍ରାସ ପାଇ ୟୁଏସ ଡଲାର ୪୩.୪୧ହୋଇଛି । ଏହା ୬୦ପ୍ରତିଶତ ହ୍ରାସ ହୋଇଥିବା ବେଳେ କେନ୍ଦ୍ରର ବିଜେପି ସରକାର ତୈଳଦରକୁ ଆକାଶ ଛୁଆଁ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଲୋକଙ୍କ ଏଭଳି ଅସୁବିଧା ସମୟରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବାକୁ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି । ସ୍ମାରକପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା, ପୂର୍ବତନ ମନ୍ତ୍ରୀ ଗଣେଶ ବେହେରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଫକିର ଚରଣ ଖଟୁଆ, ବିଭ୍ରାଂଶୁ ଶେଖର ଲେଙ୍କା, ଶରତ ବେହୁରା, ସୈାମେନ୍ଦ୍ର ପୃଷ୍ଟି, ଶିବ ପ୍ରଶାଦ ବିଶ୍ୱାଳ, ସୟଦ ଅବଦୁଲ ସତ୍ତାର, ସଞ୍ଜୟ ରାଉତ, ମହମ୍ମଦ ଆକବର ଅଲ୍ଲୀ, ବିଧୁଭୂଷଣ ମହାପାତ୍ର, ମୀର ମୁର୍ଶିଦ, ମୁକ୍ତାର ଖାଁ, ମହେନ୍ଦ୍ର ପରିଡା, ପ୍ରଦ୍ୟୁମ୍ନ ଜେନାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ