ମିଳିଲାନି ସଙ୍ଗରୋଧରେ ରହଣି ଟଙ୍କା, ପ୍ରବାସୀଙ୍କ ଟାୟାର ଜାଳି ରାସ୍ତା ଅବରୋଧ

ବୁଗୁଡା, (ଅନିଲ କୁମାର ମହାରଣା) : ସରକାର ଘୋଷଣା କରିଥିଲେ ଯେ ପ୍ରବାସୀ ଓଡିଆମାନେ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରିବା ବେଳେ ଦୁଇ ହଜାର ଟଙ୍କା ଲେଖାଏଁ ପ୍ରତ୍ୟକଙ୍କୁ ଦିଆଯିବ। କିନ୍ତୁ ସବୁ କେନ୍ଦ୍ରରେ ଏହା ସମ୍ଭବ ହେଉନାହିଁ । ବୁଗୁଡା ବ୍ଲକ ବିରଞ୍ଚିପୁର ପଞ୍ଚାୟତର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁ ପ୍ରବାସୀ ଓଡିଆମାନେ ସଙ୍ଗରୋଧରେ ରହି ଘରକୁ ଫେରିଛନ୍ତି ସେମାନଙ୍କୁ ଦୁଇ ହଜାର ଟଙ୍କା ମିଳିନଥିବା ଯୋଗୁଁ ଜୁନ ୩୦ ତାରିଖରେ ବିରଞ୍ଚିପୁର ଠାରେ ଆସିକା ନୟାଗଡ଼ ରାଜ୍ୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ବୁଗୁଡା ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ପ୍ରଥମେ ଏହି ପ୍ରବାସୀ ଓଡିଆମାନେ ଯେଉଁଦିନ ଘରକୁ ଫେରିବେ ସେହିଦିନ ମଧ୍ୟ ପଞ୍ଚାୟତ ଅଫିସ ଘେରାଉ କରିଥିଲେ। ସରକାର ଏଥିପାଇଁ ବିରଞ୍ଚିପୁର ପଞ୍ଚାୟତକୁ ଦୁଇ ଲକ୍ଷ ଟଙ୍କା ପଠାଇଥିବା ବେଳେ ସମସ୍ତଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ଦେବାକୁ ହେଉନଥିବା ଯୋଗୁଁ ସରପଞ୍ଚ ଟଙ୍କା ଉଠାଇ ନଥିବା ପ୍ରକାଶ କରିଥିଲେ। ତେଣୁ ସେମାନଙ୍କ ଟଙ୍କା ବଣ୍ଟନ ହୋଇପାରିନଥିଲା।ପ୍ରବାସୀ ଓଡିଆମାନେ ବୁଝିବା ଉଚିତ ଯେ ସରକାର ଘୋଷଣା କରିଥିବା ଟଙ୍କା ବିଳମ୍ବ ହେଲେବି ନିଶ୍ଚିତ ଭାବେ ମିଳିବ। ବର୍ତ୍ତମାନ କରୋନା ସଂକ୍ରମଣ ବୁଗୁଡା ବ୍ଲକ ସମେତ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଭାବେ ବ୍ୟାପିଥିବା ବେଳେ ସେମାନେ ସାମାଜିକ ଦୂରତା ନରଖି ଆନ୍ଦୋଳନ କରିବା ଦ୍ୱାରା ସେମାନଙ୍କୁ କରୋନା ଭୁତାଣୁ ସଂକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ଏହା ଭାବିବ ଉଚିତ। ଏହାଦ୍ୱରା ସେମାନେ ବିପତ୍ତିକୁ ଡାକି ଆଣିବା ସହ ସମାଜର ଅନ୍ୟମାନଙ୍କୁ ମଧ୍ୟ ବିପତ୍ତି ମୁହଁକୁ ଠେଲି ଦେଉଛନ୍ତି। ସେହିପରି ଯଦି ସରପଞ୍ଚ ଚାହିଁଥାନ୍ତେ ତେବେ ଏହାର ସମାଧାନ ହୋଇ ପାରନ୍ତା। ସରକାର ଘୋଷଣା କରିଛନ୍ତି ଯେ ସରପଞ୍ଚମାନେ ପାଞ୍ଚାୟତ ପାଣ୍ଠିରୁ କରୋନା ପାଇଁ ଖର୍ଚ୍ଚ କରିପାରିବେ। ସରକାରଙ୍କ ଠାରୁ ଟଙ୍କା ମିଳିଲେ ତାହା ଭରଣ କରିବେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରି ସରପଞ୍ଚ ପ୍ରବାସୀ ଓଡ଼ିଆଙ୍କୁ ନିଜ ପଞ୍ଚାୟତ ପାଣ୍ଠିରୁ ଟଙ୍କା ଦେଇପାରିଥିଲେ ଏହି ପ୍ରକାର ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ପ୍ରଶାସନ ଏଥିପ୍ରତି ସତର୍କ ରହିବା ସହ ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରୁଥିବା ପ୍ରବାସୀଙ୍କୁ ସରପଞ୍ଚମାନଙ୍କ ମାଧ୍ୟମରେ ବା ପ୍ରତ୍ୟକ୍ଷ ଭାବେ ସେମାନଙ୍କୁ ପରେ ଟଙ୍କା ଦିଆଯିବ ବୋଲି ବୁଝାଇଦେବାକୁ ପଡିବ। ଭବିଷ୍ୟତରେ ଏହିପରି ଏକତ୍ରିତ ହେବାକୁ ସୁଯୋଗ ନଦେବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ନତୁବା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଯଥେଷ୍ଟ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ