ତଦନ୍ତ ପରେ ନିଲମ୍ବିତ ସିଆରସିସିଙ୍କୁ ପୁନଃ ଅବସ୍ଥାପିତ କଲେ ବ୍ଲକ ଶିକ୍ଷାଧିକାରୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡିଆ ଟିଏମସିର ନୋଡାଲ ଅଫିସର ତଥା ସିଆରସିସି ବନମାଳୀ ନାୟକଙ୍କୁ କୋଭିଡ୍ ୧୯ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ ଗତ ଗୁରବାର ନିଲମ୍ବନ କରିଥିଲେ । ଏଥିନେଇ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ଗତ ଶନିବାର ବନ୍ତ ବ୍ଲକ କାର୍ଯ୍ୟାଳୟରେ ପହଂଚି ତଦନ୍ତ କରିଥିଲେ । ତଦନ୍ତ ବେଳେ ବିଡିଓ ରେବେକା ବିଲୁଙ୍ଗ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାସ୍କର ଚନ୍ଦ୍ର ପାଢୀ, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଧର୍ମେନ୍ଦ୍ର ନାରାୟଣ ଜେନା, ଜିଲ୍ଲା ପରିଷଦ ଶିକ୍ଷକ ସଂଘ ସମ୍ପାଦକ ନରେନ୍ଦ୍ର ସାହୁ, ବ୍ଲକ ଓଷ୍ଟା ସମ୍ପାଦକ ଶଶୀ ଶେଖର କରଶର୍ମା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିସହ ଆଡିଆ ସରପଞ୍ଚ ଶଶୀବାଳା ସେଠୀ ଲିଖିତ ବିବୃତ୍ତି ପ୍ରଦାନ କରିଥିଲେ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଦନ୍ତ ରିପୋର୍ଟ ଜିଲାପାଳଙ୍କ ଠାରେ ପ୍ରଦାନ କରିଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ କେଶରୀ ସାହୁ ବ୍ଳକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ମଙ୍ଗଳବାର ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଜେନାଙ୍କ ଚିଠି ନଂ-୧୧୯୦/ତା-୩୦-୬-୨୦ ଅନୁଯାୟୀ ସିଆରସିସି ଶ୍ରୀ ନାୟକଙ୍କୁ ତାଙ୍କ ସେବାରେ ପୁନଃ ଅବସ୍ଥାପିତ କରିବା ସହ ନିଜ ସ୍ଥାନରେ ପୂର୍ବଭଳି ନିଜ କର୍ତ୍ତବ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉକି, ବନ୍ତ ବ୍ଲକର କେତେକ ପଞ୍ଚାୟତରେ ଟିଏମସି ପରିଚାଳନା ଖର୍ଚ୍ଚ ଫର୍ମାଟରେ କୌଣସି ତଥ୍ୟ ଲେଖା ନଯାଇ ସେଥିରେ ଦସ୍ତଖତ କରାଯିବାକୁ ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ମାନଙ୍କୁ ବାଧ୍ୟ କରାଯାଉଥିବା ନେଇ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓଙ୍କ ଠାରେ ଅଭିଯୋଗ ହୋଇଥିଲା । ଫଳରେ ଉଦ୍ଦେଶ୍ୟ ମୂଳକ ଭାବେ ଆଡିଆ ଟିଏମସିର ନୋଡାଲ ଅଫିସରଙ୍କୁ ନିଲମ୍ବନ କରାଯାଇଥିଲା । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ପ୍ରକୃତ ସତ୍ୟାସତ୍ୟ ଅନୁଧ୍ୟାନ କରାଯିବା ପରେ ସଂପୃକ୍ତ ସିଆରସିସିଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିବା ଜଣାଯାଇଛି ।


