କାର୍ଗୀଲ୍ ବିଜୟ ଦିବସ ପାଳିତ
ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ କୁରୁଡା ନିକଟବର୍ତ୍ତୀ ହରିଡା ଗ୍ରାମରେ ୧୯୯୯ କାରଗିଲ୍ ଯୁଦ୍ଧରେ ଦେଶମାତୃକା ପାଇଁ ଶତ୍ରୁସହ ପରାକ୍ରମ ସହ ଲଢେଇ କରି ପ୍ରାଣବଳୀ ଦେଇଥିବା ସଦୀଦ୍ ଗଙ୍ଗାରାମ ଦାସଙ୍କର ୨୦ତମ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସହୀଦ୍ ଗଙ୍ଗାରାମ ସ୍ମୃତି ପରିଷଦର କାର୍ଯ୍ୟକାରୀ ସଭାପତି ଅବସରପ୍ରାପ୍ତ ସୁବେଦାର ମେଜର ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ପ୍ରତିନିଧି ଉମାକାନ୍ତ ମହାପାତ୍ର, ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପ୍ରତିନିଧି ପର୍ଶୁରାମ ବେହେରା, ବାଲେଶ୍ୱର ଭୂତପୂର୍ବ ସୈନିକ ସଂଗଠନର ସଭାପତି ହାବଲ୍ଦାର ସନ୍ତୋଷ କୁମାର କାଠ ଓ ସଂପାଦକ ଆନନ୍ଦ ଚନ୍ଦ୍ର ବରାଳ, ଜିଲ୍ଲାପରିଷଦ ସୁଧାଂଶୁ ଶେଖର ପଣ୍ଡା, ବିପିନ୍ ମାରାଣ୍ଡି, କୁରୁଡା ସରପଂଚ ବାସନ୍ତୀ ଗିରି, ଖାନନଗର ସରପଂଚ, ସମିତି ସଭ୍ୟ, ସୁତେଇ ଗ୍ରାମର ସମିତି ସଭ୍ୟଙ୍କ ସମେତ ଭୂତପୂର୍ବ ସୈନିକ ସଂଗଠନର ସଦସ୍ୟ, ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଯୋଗ ଦେଇ ସହୀଦ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସଦର ଥାନା ଭାରପ୍ରାପ୍ତ ଅଧିକାରୀ ମମତା ସାହୁ ଯୋଗ ଦେଇ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ର ସେବା ପାଇଁ କାମ କରିବାକୁ ପ୍ରେରଣା ଦେଇଥିଲେ । ସ୍ମୃତି ପରିଷଦ ତଥା ସ୍ଥାନୀୟ ଜନସାଧାରଣଙ୍କ ଦାବୀ ବିଷୟରେ ଜବାବ୍ ରଖି ସାଂସଦଙ୍କ ପ୍ରତିନିଧି ଶ୍ରୀ ମହାପାତ୍ର ଖୁବ୍ ଶୀଘ୍ର କୁରୁଡା-ମଠସାହି ରାସ୍ତାକୁ ସହୀଦ୍ଙ୍କ ନାମରେ ନାମକରଣ କରାଯିବା ସହ ପୂର୍ବ ସ୍ଥାନରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପ୍ରତିମୂର୍ତ୍ତି ପୁନଃସ୍ଥାପନର ବ୍ୟବସ୍ଥା କରିବା ଓ ସହୀଦ୍ଙ୍କ ନାମରେ ଏକ ପାଠାଗାର ନିର୍ମାଣ କରିବା ବିଷୟରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ଦାବୀଗୁଡିକ ପୁରଣ କରିବାକୁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।