ମାନବିକତା ଆଗରେ ହାର ମାନିଲା କରୋନା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ରକ୍ତଦାନ ମହାପୁଣ୍ୟ । ଏହି ବ୍ରତକୁ ୧୭ବର୍ଷ ଧରି ଆପଣାଇ ରାଜ୍ୟର ପ୍ରଥମ ପାରିବାରିକ ରକ୍ତଦାନ ଶିବିର ଆୟୋଜନ କରିଆସୁଛନ୍ତି ସ୍ମାର୍ଟ ସିଟି ଭୁବନେଶ୍ୱରର ଭୀମଟାଙ୍ଗି ନିବାସୀ ଗୋପୀ ମୋହନ ପଟ୍ଟନାୟକ । ପ୍ରତିବର୍ଷ ଜୁଲାଇ ୪ ତାରିଖରେ ନିଜର ବିବାହ ବାର୍ଷିକୀ ଉତ୍ସବରେ ବନ୍ଧୁ, ବାନ୍ଧବ, ଗୁରୁଜମାନଙ୍କୁ ନିମନ୍ତ୍ରିତ କରି ପାରିବାରିକ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି । ଚଳିତବର୍ଷ ମହାମାରୀ କରୋନା ଯୋଗୁଁ ନା ଥିଲା ଭୋଜିଭାତ ନା ଥିଲା କେକ୍ କଟାର ପର୍ବ । କିନ୍ତୁ ଗୋପୀମୋହନଙ୍କୁ କରୋନା ଅଟକାଇ ପାରିନଥିଲା । ଗୋପୀମୋହନ ଧର୍ମପତ୍ନୀ ଆଶାଲତାଙ୍କୁ ଧରି ପହଞ୍ଚି ଯାଇଥିଲେ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ଥିବା ରକ୍ତ ଭଣ୍ଡାରରେ । ସେ ନିଜର ୧୫୯ତମ ରକ୍ତଦାନ କରିଥିଲେ । ଏହି ତାରିଖକୁ ମନେରଖିଥିବା କିଛି ଶୁଭେଚ୍ଛୁ ମଧ୍ୟ ରକ୍ତ ଭଣ୍ଡାରରେ ସ୍ୱତଃସ୍ପୂତ ଭାବେ ପହଞ୍ଚି ରକ୍ତଦାନ କରିଥିଲେ । ଏ ଖବର ଶୁଣି କ୍ୟାପିଟାଲ୍ ହସ୍ପିଟାଲ୍ର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ, ରକ୍ତଭଣ୍ଡାର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର ପହଞ୍ଚି ଦମ୍ପତ୍ତିଙ୍କୁ ଶୁଭେଚ୍ଛା ସହ ସାଧୁବାଦ ଜଣାଇଥିଲେ । ଆଜି କରୋନା ଯୋଗୁଁ ସାରା ରାଜ୍ୟର ଲୋକେ ରକ୍ତ ଟୋପାଏ ପାଇଁ ଡହଳ ବିକଳ ହେଉଥିବା ବେଳେ ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗୋପୀମୋହନ ପଛକୁ ଫେରିନଥିଲେ । ସତରେ ମାନବିକତା ଆଗରେ କରୋନା ହାର ମାନିଛି । ଭୀମଟାଙ୍ଗୀ ନିବାସୀ ମଦନମୋହନ ପଟ୍ଟନାୟଙ୍କ ଜ୍ୟେଷ୍ଠ ପୁତ୍ର ଗୋପୀମୋହନ ରାଜ୍ୟରେ ସେଞ୍ଚୁରିୟାନ୍ ବ୍ଲଡ୍ ଡୋନର ଭାବରେ ବେଶ୍ ଜଣାଶୁଣା । ଗୋପୀ ମୋହନଙ୍କ ବନ୍ଧୁ ଶୀବ ପ୍ରସାଦ ଦାସ, ସତ୍ୟ ସିଂ, ଜ୍ୟୋତି ରଂଜନ ପଟ୍ଟନାୟକ, ବସନ୍ତ ସାମଲ ପ୍ରମୁଖ ଏହି ବ୍ରତକୁ ଆପଣାଇ ରକ୍ତଦାନ କରି ନିଜର ସାମାଜିକ କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ କରି ଉଦାହରଣ ସୃଷ୍ଟି କରିଥିବାର ଜଣାପଡ଼ିଛି ।


