ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ପକ୍ଷରୁ ଋଣ ଟଙ୍କା ଆଦାୟ ଜୁଲମକୁ ନେଇ ଅସନ୍ତୋଷ
ହାଟଡ଼ିହି, (ଓ୍ବାଇଏନ୍ଏସ୍) : କରୋନା ପାଇଁ ରାଜ୍ୟ ସରକାର ସମସ୍ତ ଋଣ ଆଦାୟ ଉପରେ ଜୁଲାଇ ମାସ ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଥିବାବେଳେ ଏବେ କିଛି ଅର୍ଥଲଗାଣକାରୀ ସଂସ୍ଥା ସେମାନଙ୍କ ଋଣ ଆଦାୟ ଉପରେ ଯୋର ଜୁଲମ କରୁଥିବାରୁ ଋଣ ଗ୍ରହୀତା ମାନଙ୍କ ଉପରେ ମାନସିକ ଚାପ ପଢ଼ୁଥିବାରୁ ବିଭିନ୍ନ ସ୍ଥାନରେ ଏହାକୁନେଇ ଅସନ୍ତୋଷ ପ୍ରକାଶ ପାଉଛି । ଆଜି ଏହାକୁନେଇ ନନ୍ଦିପଦା କୋଳିପଦୀ ଗ୍ରାମରେ ମହିଳାମାନଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନଙ୍କ ଅଭିଯୋଗ ଅନୁଯାଇ ସେମାନେ ଭାରତ ଫାଇନାନସ ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ପକ୍ଷରୁ ଋଣ ଆଣିଥିଲେ । କିନ୍ତୁ ଲକଡାଉନ ଯୋଗୁଁ ସେମାନଙ୍କ କାମଧନ୍ଦା ବନ୍ଦ ହୋଇଯାଇ ଥିବାବେଳେ ରୋଜଗାର ହରାଇ ଘରେ ବସି ରହିଛନ୍ତି । ଏପରିସ୍ଥିତିରେ ଅର୍ଥଲଗାଣକାରୀ ସଂସ୍ଥା ସେମାନଙ୍କ ଋଣଟଙ୍କା ଆଦାୟ ପାଇଁ ବାରମ୍ବାର ଚାପ ପକାଉଛନ୍ତି । ସରକାରଙ୍କ ଷ୍ପଷ୍ଟ ନିର୍ଦ୍ଦେଶ ଥିଲେବି ସେମାନେ କିଛି ନଶୁଣି ନିୟମିତ ଋଣ ଆଦାୟ ପାଇଁ ଜୁଲମ କରୁଛନ୍ତି ନଦେଲେ ଚକ୍ରବର୍ତ୍ତୀ ହାରରେ ସୁଧ ସହ ଟଙ୍କା ଆଦାୟ କରାଯିବ ବୋଲି ଧମକ ଚମକ ଦେଉଥିବା ଗ୍ରୁପ ସଦସ୍ୟ କମଳା ଜେନା, ବାସନ୍ତୀ ଜେନା, ପୂଜା ଜେନା, ଜ୍ୟୋତ୍ସାରାଣୀ ଜେନା, ଜାନକୀ ଜେନା, ରୁକ୍ମଣୀ ଜେନା, ଦିପ୍ତୀମୟୀ ଜେନା, ବେଲ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଆଜି ଫାଇନାନସ କମ୍ପାନୀର କର୍ମଚାରୀ ଋଣ ଆଦାୟ ପାଇଁ ଯାିଥିବାବେଳେ ଏହାକୁନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଫାଇନାନସ ସଂସ୍ଥାର କର୍ମଚାରୀ ଆଶୁତୋଷ ବେହେରା କହିଛନ୍ତି ଯେ ଆମେ ଏବେ ଋଣ ଆଦାୟ ପାଇଁ ଜୋର ଜୁଲମ କରୁନାହୁଁ, କିନ୍ତୁ ଆସନ୍ତା ଅଗଷ୍ଟ ମାସଠାରୁ ଋଣ ଆଦାୟ କରାଯିବ ଯେଉଁମାନେ ନଦେବେ ସେମାନଙ୍କ ନାମ ଡିଫଲ୍ଡର ଲିଷ୍ଟକୁ ଚାଲିଯିବ ବୋଲି ସେ ସମ୍ପର୍କରେ ବୁଝାଇବାକୁ ଆସିଛୁ ବୋଲି କହିଛନ୍ତି ।


