ସୁପରସ୍ପ୍ରେଡରଙ୍କ ଗାଁରେ କମାଣ୍ଡୋ
ତିରୁଅନନ୍ତପୁରମ: ସଂକ୍ରମଣ ରୋକିବା ଲାଗି ଏକାଧିକ ସୁପରସ୍ପ୍ରେଡର ଥିବା ଏକ ଗ୍ରାମକୁ ସିଲ କରିବା ଲାଗି କମାଣ୍ଡୋ ମୁତୟନ କରିବାକୁ ପଡ଼ିଛି । ଯାହାକି ଦେଶରେ ପ୍ରଥମ ଘଟଣା । କେରଳର ତିରୁଅନନ୍ତପୁମ ଅନ୍ତର୍ଗତ ପୁନ୍ଥୁରା ଗ୍ରାମରେ ଏକାଧିକ କରୋନା ସୁପରସ୍ପ୍ରେଡର ଥିବାରୁ ଗ୍ରାମବାସୀଙ୍କ ଭିତରେ ଭୟ ସଞ୍ଚାର ହୋଇଛି । ଏହି ସୁପରସ୍ପ୍ରେଡରମାନଙ୍କୁ କାବୁ କରି ଗ୍ରାମବାସୀଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଏଠାରେ ପୁଲିସ କର୍ମଚାରୀ ଏବଂ ୨୫ ବ୍ଲାକ କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ଏହି ଗ୍ରାମରେ ପୁଲିସ କାର୍ଯ୍ୟାନୁଷ୍ଠାନର ଏକ ଭିଡିଓ ସାର୍ବଜନୀନ ହୋଇଥିଲା । ଆମ୍ବୁଲାନ୍ସ, ପୁଲିସ ଗାଡ଼ି ଓ କମାଣ୍ଡୋ ଗାଡ଼ି ପୁନ୍ଥୁରୁ ଗ୍ରାମର ବିଭିନ୍ନ ୱାର୍ଡରେ ଲାଉଡ ସ୍ପିକର ଜରିଆରେ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଉଥିବା ଦେଖିବାକୁ ଭିଡିଓଟିରେ ମିଳିଛି । ଅନାବଶ୍ୟକ ଘରୁ ବାହାରିଲେ ସେମାନଙ୍କୁ ବଳପୂର୍ବକ କମାଣ୍ଡୋଙ୍କ ଜରିଆରେ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇ ଦିଆଯିବ ବୋଲି ପୁଲିସ କର୍ମଚାରୀ ଘୋଷଣା କରିଥିଲେ ।


