ଗଳାବାଟ ଦେଇ ଘରକୁ ଯିବା ମହଙ୍ଗା ପଡିଲା, ଶିକ୍ଷା ବିଭାଗ ଅଧିକାରୀ ସଙ୍ଗରୋଧ କେନ୍ଦ୍ରରେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଜିଲା ପ୍ରଶାସନର ନିୟମ ନ ମାନି ଘରକୁ ପଳାଇବା ମହଙ୍ଗା ପଡିଛି ଜଣେ ଶିକ୍ଷା ବିଭାଗ ଅଧିକାରୀଙ୍କୁ। ସୀମା ସିଲ୍‌ ସତ୍ତ୍ୱେ ଗଳାବାଟ ଦେଇ ଘରକୁ ପଳାଇଥିଲେ। ଫେରିବାବେଳେ ଧରାପଡିବାରୁ ସମ୍ପୃକ୍ତ ଅଧିକାରୀ ଓ ସହଯୋଗୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି ତହସିଲଦାର। ଏପରି ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଅଞ୍ଚଳରେ।ପ୍ରକାଶ ଯେ, କରୋନା ମୁକାବିଲା ପାଇଁ ଜିଲାର ସମସ୍ତ ଅଧିକାରୀ ଓ ସରକାରୀ କର୍ମଚାରୀ ହେଡ୍‌କ୍ୱାର୍ଟର ଛାଡି ନ ଯିବାକୁ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି. ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାକୁ ଉଲ୍ଲଂଘନ କରି ଦାରିଙ୍ଗବାଡି ବିଇଓ ବ୍ରହ୍ମାନନ୍ଦ ରାଉତ ଏବଂ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ପ୍ରାଣତୋଷ ସାହୁ ଶୁକ୍ରବାର ଘରକୁ ପଳାଇଥିଲେ। ବିଇଓଙ୍କ ଘର କଟକ ଜିଲାରେ ହୋଇଥିବାବେଳେ ପ୍ରାଣତୋଷଙ୍କ ଘର ନୟାଗଡ ଦଶପଲ୍ଲାରେ। ବୁଧବାର ଫେରିବାବେଳେ କନ୍ଧମାଳ-ନୟାଗଡ ଜିଲା ସୀମା ସିଲ୍‌ ଯୋଗୁ ସବିଶେଷ ତଥ୍ୟ ମଗାଯାଇଥିଲା। ବିଇଓ ରାଉତ ପରିଚୟ ଦେବା ପରେ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଦାରିଙ୍ଗବାଡି ତହସିଲଦାର ନୀତୀଶ କୁମାର ତ୍ରିପାଠୀଙ୍କୁ ଜଣାଇଥିଲେ। ପରେ ଉଭୟଙ୍କୁ ଛାଡି ଦିଆଯାଇଥିଲା। ଦାରିଙ୍ଗବାଡିରେ ପହଂଚିବା  ପରେ ତହସିଲଦାର ତ୍ରିପାଠୀ ବିଇଓ ରାଉତ ଓ ପ୍ରାଣତୋଷଙ୍କୁ ସରକାରୀ ସଙ୍ଗରୋଧ ଗୃହରେ ରଖିଛନ୍ତ। ଜିଲାରେ କରୋନା ସଂକ୍ରମଣ ବଢୁଥିବାବେଳେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଏପରି ଭାବେ ଘରକୁ ପଳାଇବା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ