ଆଣ୍ଟିଜେନ୍‌ ଟେଷ୍ଟ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ, ବେଆଇନ ଚାଲିଥିବା କ୍ଳିନିକ୍ ସିଲ୍

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା କ.ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାରଙ୍ଗଡ଼ ଗ୍ରାମର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ଆଣ୍ଟିଜେନ୍ ଟେଷ୍ଟ୍ରରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ତାଙ୍କର ବୟସ ୮୧ବର୍ଷ ହୋଇଥିବାବେଳେ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଓ ତା’ପରେ ଫୁଲବାଣୀ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। କୋଭିଡ୍‌ ନିୟମାନୁସାରେ ଫୁଲବାଣୀ ରେ ତାଙ୍କର ମୃତଦେହ ସତ୍କାର କରାଯାଇଛି। ସାରଙ୍ଗଡ଼ ଗ୍ରାମର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ବ୍ୟକ୍ତିଙ୍କର ଆଣ୍ଟିଜେନ୍ ଟେଷ୍ଟ୍ରରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ କୋଭିଡ୍‌ ପରୀକ୍ଷା ପାଇଁ ପଠାଯାଇଛି। ସୋମବାର ସୁଦ୍ଧା ତାଙ୍କର କୋଭିଡ୍‌ ପରୀକ୍ଷା ରିପୋର୍ଟ ଆସିନାହିଁ।କରୋନା ସଂକ୍ରମଣ ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ସାରଙ୍ଗଡ଼ ବଜାର ସ୍ଥିତ ଦେବୀ ମେଡ଼ିସିନ୍ ଷ୍ଟୋରକୁ ସିଲ୍ କରିଦିଆଯାଇଛି। ଏହା ସହିତ ଉକ୍ତ କ୍ଲିନିକ୍ ଚଳାଉଥିବା ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାରଙ୍ଗଡ଼ ଗ୍ରାମର ଭୈରବୀ ମନ୍ଦିର ସାହିରେ ରହୁଥିବା ଜନୈକ ୮୧ବର୍ଷିୟ ବ୍ୟକ୍ତି ଜଣକ ଉକ୍ତ କ୍ଳିନିକ୍‌ରେ କିଛି ଦିନ ଚିକିତ୍ସିତ ହୋଇଥିଲେ। ସେ ତାଙ୍କ ପରିବାରର ୮ଜଣ ସଦସ୍ୟଙ୍କ ସହିତ ସଂସ୍ପର୍ଶରେ ଆସିଛନ୍ତି।ଜିଲାପାଳଙ୍କ ନିର୍ଦେଶ ଅନୁଯାୟୀ ସୋମବାର ସାରଙ୍ଗଡ଼ରେ କ.ନୂଆଗାଁ ତହସିଲଦାର ଶାଶାଙ୍କ ଶେଖର ପାତ୍ର, ବିଡିଓ ମନୋଜ କୁମାର ତ୍ରିପାଠୀ, ସିଡ଼ିପିଓ ଦ୍ରୌପଦୀ କହଁର, ସାରଙ୍ଗଡ଼ ଥାନା ଅଧିକାରୀ ଅନୀତା କିଡ଼ୋଙ୍କ ସମେତ ଅନ୍ୟମାନେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ବେଳେ ଉକ୍ତ ମେଡ଼ିସିନ୍ ଷ୍ଟୋର କୋଟଗଡ଼ ଅଞ୍ଚଳର ଜଣେ ଫାର୍ମାସିଷ୍ଟଙ୍କ ଲାଇସେନ୍ସରେ ଚାଲୁଥିବା ବେଳେ ବେଆଇନ ଭାବେ ଘରୋଇ କ୍ଳିନିକ୍ ଚାଲିଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ଏନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ବ୍ୟାପୀବାଆଶଙ୍କାରେ ସାରଙ୍ଗଡ଼ର ବିଭିନ୍ନ ଅଞ୍ଚଳକୁ ସଂପୂର୍ଣ୍ଣଭାବେ ଅଗ୍ନିସମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଛି। ସେହିଭଳି କ. ନୂୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଗଡ଼ର ପୁରୁଣା ସାହି, ବଜାର ସାହି, ଅଶୋକ ନଗର ସାହି, ପାଟଖଣ୍ଡା ସାହି, କଲୋନି ସାହି, ବାହାଡ଼ାପଦା, ବିଶୋୟୀ ସାହି, ପାତ୍ର ସାହି, ଶଶିପଡ଼ା, ପେଣ୍ଡି ପଦର, ଗୁଣ୍ଡ୍ରାଗାଁ, ସାଲଗୁଡ଼ା, ମାଡିଗୁଡ଼ା, ଦାଶିଗୁଡ଼ା, ସୁର୍ସୁଡି, ବାନେଗାଁ, ଏବଂ ବଣ୍ଡାଗୁଡ଼ା ଗ୍ରାମ ପଞ୍ଚାୟତର ବଣ୍ଡାଗୁଡ଼ା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବା ସହିତ ଏହାର ଆଖପାଖ ଅଞ୍ଚଳକୁ ବଫର ଜୋନ୍ ଭାବେ ଜିଲାପାଳ ଘୋଷଣା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ