ତ୍ୱରାନ୍ୱିତ ହୋଇଛି ଏମ୍ସ ନୂଆଦିଲ୍ଲୀର ଇ-ଆଇସିୟୁ ଭିଡିଓ ପରାମର୍ଶ
ନୂଆଦିଲ୍ଲୀ : କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ଆଗେଇ ନେବା ପାଇଁ ଏମ୍ସ ନୂଆଦିଲ୍ଲୀ ଜୁଲାଇ ୮, ୨୦୨୦ରେ ସାରା ଦେଶର ଆଇସିୟୁ ଡାକ୍ତରମାନଙ୍କ ସହିତ ଏକ ଭିଡିଓ ପରାମର୍ଶ କାର୍ଯ୍ୟକ୍ରମ ଇ-ଆଇସିୟୁ ଆରମ୍ଭ କରିଥିଲେ । ଦେଶରେ ଥିବା ଡାକ୍ତରଖାନା ଓ କୋଭିଡ କେନ୍ଦ୍ରଗୁଡିକରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ମଧ୍ୟରେ ଚିକିତ୍ସା ସମ୍ବନ୍ଧୀୟ ଆଲୋଚନା କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ଆଇସିୟୁରେ କାର୍ଯ୍ୟରତ ଡାକ୍ତରମାନେ ଏହି ଭିଡିଓ ପ୍ଲାଟଫର୍ମରେ ଏମ୍ସ, ନୂଆଦିଲ୍ଲୀର ଅନ୍ୟ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ପ୍ରଶ୍ନ ପଚାରି ପାରିବେ ଓ ନିଜ ଅଭିଜ୍ଞତା ବାଣ୍ଟି ପାରିବେ । ଡାକ୍ତର ଓ ବିଶେଷଜ୍ଞମାନଙ୍କ ଅଭିଜ୍ଞତାକୁ ଆଧାର କରି ଆଇସୋଲେସନ ଶଯ୍ୟା, ଅମ୍ଳଜାନ ସୁବିଧା ଥିବା ଶଯ୍ୟା ଓ ଆଇସିୟୁ ଶଯ୍ୟା ସମେତ ୧ ହଜାର ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ଉତ୍ତମ ଚିକିତ୍ସା ପ୍ରଣାଳୀ ଆପଣାଇ କୋଭିଡ ଜନିତ ମୃତ୍ୟୁ କମାଇବା ଏହି ଭିଡିଓ ଆଲୋଚନାର ପ୍ରମୁଖ ଉଦ୍ଦେଶ୍ୟ । ଏପର୍ଯ୍ୟନ୍ତ ମୁମ୍ବାଇ ୧୦, ଗୋଆ ୩, ଦିଲ୍ଲୀ ଓ ଗୁଜୁରାଟ 3, ତେଲେଙ୍ଗାନା ୨, ଆସାମ ୫, କର୍ଣ୍ଣାଟକ, ବିହାର, ଆନ୍ଧ୍ରପ୍ରଦେଶ ଓ କେରଳ ୧, ତାମିଲନାଡୁର ୧୩ଟି କୁ ମିଶାଇ ୪୩ଟି ଡାକ୍ତରଖାନାକୁ ନେଇ ଚାରିଟି ଅଧିବେଶନ ଆୟୋଜିତ ହୋଇଛି । ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ପ୍ରତ୍ୟେକ ଅଧିବେଶନର ସମୟ ସୀମା ଦେଢରୁ ୨ଘଣ୍ଟା ରହିଥିଲା । ଏଥିରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ଆଲୋଚନା ହୋଇଥିଲା । ରେମଡେସିଭିର, ଆରୋଗ୍ୟକାରୀ ପ୍ଲାଜମା ଓ ଟୋସିଲିଜୁମାବ ଭଳି ଅନୁସନ୍ଧାନମୂଳକ ଚିକିତ୍ସାର ତର୍କସଙ୍ଗତ ବ୍ୟବହାରକୁ ଏହି ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଅନୁସନ୍ଧାନମୂଳକ ଚିକିତ୍ସାର ଆଖିବୁଜା ପ୍ରୟୋଗ ଯୋଗୁଁ ହେଉଥିବା କ୍ଷତି ଓ ସାମାଜିକ ଗଣମାଧ୍ୟମ ଚାପର ବଶବର୍ତ୍ତୀ ହୋଇ ଚିକିତ୍ସା ବିଧି ସୀମିତ କରିବାର ଆବଶ୍ୟକତା ସମ୍ପର୍କରେ ଚିକିତ୍ସକ ଦଳ ଆଲୋଚନା କରିଥିଲେ । ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପ୍ରୋନିଂ, ଉଚ୍ଚପ୍ରବାହ ଅମ୍ଳଜାନ, ନନ-ଇନଭେସିଭ ଭେଂଟିଲେସନ ଓ ଭେଂଟିଲେଟର ସେଟିଂସର ବ୍ୟବହାର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । କୋଭିଡ ନିରୂପଣ ପାଇଁ ବିଭିନ୍ନ ପରୀକ୍ଷଣ ଶୈଳୀର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ବାରମ୍ବାର ପରୀକ୍ଷଣର ଆବଶ୍ୟକତା, ଚିକିତ୍ସା ପାଇଁ ଭର୍ତ୍ତି ଓ ଛାଡ କରିବାର ମାନଦଣ୍ଡ, ରୋଗୀ ଛାଡ ପାଇବା ପରେ ଦେଖା ଯାଉଥିବା ରୋଗ ଲକ୍ଷଣଗୁଡିକର ପ୍ରବନ୍ଧନ ଓ ପୁନଶ୍ଚ କାମରେ ନିୟୋଜିତ ହେବା ଭଳି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ରୋଗୀଙ୍କ ସହ ଯୋଗାଯୋଗ ରଖିବା ପଦ୍ଧତି, ସ୍ୱାସ୍ଥ୍ୟ କର୍ମୀଙ୍କ ସ୍କ୍ରିନିଂ, ମଧୁମେହ ଯୋଗୁଁ ସୃଷ୍ଟ ନୂଆ ସମସ୍ୟାର ମୁକାବିଲା, ଷ୍ଟ୍ରୋକ, ଡାଇରିଆ, ମାୟୋକର୍ଡିଆଲ ଇନଫାରକେସନ ଭଳି ଅସାମାନ୍ୟ ପରିସ୍ଥିତି ଆଲୋଚନାର ବିଷୟବସ୍ତୁ ଥିଲା । ଏମ୍ସ, ନୂଆଦିଲ୍ଲୀର ଟିମ ପ୍ରତ୍ୟେକ ଭିଡିଓ ଆଲୋଚନା ବେଳେ ଅନ୍ୟ ଭିଡିଓ କନଫରେନ୍ସରେ ଆଲୋଚିତ ବିଷୟବସ୍ତୁ ଉପସ୍ଥାପିତ କରିବା ସହ ନିଜ ଅଭିଜ୍ଞତା ଆଧାରରେ ଆବଶ୍ୟକ ପରାମର୍ଶ ଦେଇଥିଲେ ଓ ବିଭିନ୍ନ ବିଷୟର ବିଶେଷଜ୍ଞମାନଙ୍କ ସହ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ଦେଶରେ ଥିବା ଛୋଟ ଡାକ୍ତରଖାନା ୫୦୦ ଶଯ୍ୟା କିମ୍ବା ଅଧିକର ଆଇସିୟୁ ଡାକ୍ତରମାନଙ୍କୁ ଏହି ଇ-ଆଇସିୟୁ ଭିଡିଓ ଆଲୋଚନା କାର୍ଯ୍ୟକ୍ରମରେ ସାମିଲ କରାଯିବ ।


