କେନାଲକୁ ଆସୁନି ପାଣି , ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି

ନାଉଗାଁ, (ଓ୍ବାଇଏନ୍ଏସ୍):ସରକାର ସବୁ ବେଳେ ଜୟ ଜବାନ,ଜୟ କିଷାନ ସ୍ଲୋଗାନ ଦେଇ ଆସୁଛନ୍ତି । କିନ୍ତୁ କିଷାନ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ସବୁ ସମୟରେ ରହିଆସିଛି । ମହାମାରୀ କରୋନା ସାରା ପୃଥିବୀରେ ଆତଙ୍କିତ କରିଛି । ଏହି ସମୟରେ ସରକାର ସମସ୍ତ ବର୍ଗର ଲୋକମାନଙ୍କୁ ସର୍ତକ ରହିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଚାଷୀକୁ ଚାଷ କ୍ଷେତ୍ରରେ କାମ କରିବାରେ କୌଣସି ଅସୁବିଧା ନାହିଁ ବୋଲି କହୁଛନ୍ତି । କାରଣ ଚାଷୀଟିଏ ଧାନ,ଫଳ,ଫୁଲ,ମାଛ, କ୍ଷୀର ଆଦି ଉତ୍ପାଦନ ନ କଲେ ଜୀବ ଜଗତ ବଂଚିବା କଷ୍ଟକର ହୋଇ ପଡିବ । ଏଭଳି ସ୍ଥଳେ ବର୍ତମାନ ଜୁଲାଇ ୨୧ ତାରିଖ ସୁଦ୍ଧା ଆବଶ୍ୟକ ମୁତାବକ ବୃଷ୍ଟିପାତ ହୋଇ ନଥିବା ବେଳେ ବିଭାଗ ପକ୍ଷରୁ କେନାଲରେ ପାଣି ଆସିବା ସମ୍ଭବ ହୋଇପାରି ନାହିଁ । ଚାଷୀ ବିଲରେ ବିହନ ବୁଣିବା ପରେ ସ୍ୱଳ୍ପ ବର୍ଷା ହେତୁ ଧାନ ଗଜା ହୋଇଥିବା ବେଳେ ପାଣି ଅଭାବରୁ ବିଲରେ ଫାଟ ସୃଷ୍ଟି ହୋଇ ଧାନ ଗଛ ମରିବାକୁ ବସିଲାଣି । ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କର କୌଣସି ଦାୟିତ୍ୱବୋଧ ନଥିଲା ଭଳି ଲାଗୁଛି । ଜୁନ ପ୍ରଥମ ସପ୍ତାହରେ ପାଣି କେନାଲରେ ଆସିବାର ବ୍ୟବସ୍ଥା ଥିବା ବେଳେ ବିଭାଗୀୟ କତୃପକ୍ଷ ନାହିରେ ତେଲ ଦେଇ ଶୋଇ ଯାଇଥିବା ଅନୁମେୟ ହେଉ ଥିବା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି । ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ କେନାଲ ୧୯(ଏ) ଆଳପିଙ୍ଗଳ ଠାରୁ ତୁମ୍ଭେଶ୍ୱର ଦେଇ ଗଜରାଜପୁର, ଅରକକୁଦ, ରୋହିଆ, ପାଂଚପା, ଅଲଣା-୨ ପର୍ଯ୍ୟନ୍ତ ରହିଛି । ସେହିପରି ୧୯(ଏ-୨) କେନାଲ ବାହାଲିଆ ସାହି ଠାରୁ ନୁଆଗାଁ, ଗନେଇ ଘୋଡାଂଶ, ମୁଗେଇ, ତୋଟାପାଟଣା ପର୍ଯ୍ୟନ୍ତ ରହିଥିବା ବେଳେ ୧୬(ଏ) କେନାଲ ଅଲଣାହାଟ ଠାରୁ ମୁଣ୍ଡାଳୋ, ଖଇରା ,ଚମ୍ପେଶ୍ୱର, ଜାମୁଗାଁ, ଜଳେଶ୍ୱରପଡା, ଛତିଆନା, ଏକରୁଖା , କଂଟୁଣିଆ, ଚକୁଳିପଡା, ନନ୍ଦିଗ୍ରାମ ପର୍ଯ୍ୟନ୍ତ ରହିଛି । ଉକ୍ତ ଗ୍ରାମର ହଜାର ହଜାର ଚାଷୀ କେନାଲ ପାଣି ଉପରେ ଭରଷା କରି ଚାଷ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ସହିତ ଠିକ ସମୟରେ କେନାଲରେ ପାଣି ନ ଆସିବା ଯୋଗୁ ଚାଷୀ ହାତ ଗୋଡ ବାନ୍ଧି ଘରେ ବସିଛି । ଯେଉଁ ଚାଷୀମାନେ ପୂର୍ବରୁ ବିଲରେ ବିହନ ବୁଣି ଥିଲେ । ସ୍ୱଳ୍ପ ବର୍ଷାରେ ସେମାନଙ୍କ ବିଲରେ ଧାନ ଗଛ ହୋଇଥିବା ବେଳେ ପାଣି ଅଭାବରୁ ମରିବାକୁ ବସିଲାଣି । ଏପରିକି ଧାନ ତଳି ପଡିଥିଲେ ମଧ୍ୟ ପାଣି ଅଭାବରୁ ଧାନ ରୁଆ ହୋଇପାରୁ ନଥିବା ମଧ୍ୟ ଅଭିଯୋଗ ହେଉଛି । ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ପ୍ରଫୁଲ ପରିଡା, ଆର୍ତତ୍ରାଣ ଦାସ, ଚତୃଭୁଜ ମହାନ୍ତି, ଶରତ ନାୟକ, ଦିଲ୍ଲିପ ରାଉତ, ବ୍ଲକ ସଂଯୋଜକ କୈଳାସ ଚନ୍ଦ୍ର ପରିଡା, ନୃସିଂହ ଚରଣ ମହାନ୍ତି, ନବ କିଶୋର ମହାନ୍ତି, ବଂଶିଧର ବେହେରାଙ୍କ ସମେତ ଚାଷୀମାନେ ଅତିଶୀଘ୍ର କେନାଲରେ ପାଣି ଯୋଗାଇ ଦେବା ପାଇଁ ବିଭାଗୀୟ କତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି । ଏସଂର୍ପକରେ ବିଭାଗୀୟ ଆଳିପିଙ୍ଗଳ ସେକ୍ସନର କନିଷ୍ଠ ଯନ୍ତ୍ରୀ ସୁଷମା ସାହୁଙ୍କୁ ପଚାରିବାରୁ ୧୯(ଏ) କେନାଲକୁ ଆଜି ଠାରୁ ପାଣି ଛଡାଯାଇଛି । ଆସନ୍ତା ୧୦ଦିନ ପରେ ୧୯(ଏ-୨) କେନାଲରେ ପାଣି ଛଡା ଯିବ ବୋଲି କହିଛନ୍ତି । ସେହିପରି ଅଲଣାହାଟ ସେକ୍ସନର କନିଷ୍ଠ ଯନ୍ତ୍ରୀ ଦେବୀ ମିଶ୍ରଙ୍କୁ ପଚାରିବାରୁ ମାଛଗାଁ କେନାଲକୁ ପାଣି ଆସିଲେ ୧୬(ଏ) କେନାଲରେ ପାଣି ଛଡାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ