ସହଦେବ ବାବା ମିଶନଶକ୍ତି ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଂଚାୟତର ସହଦେବ ବାବା ମହିଳା ମହାସଙ୍ଘ ମିଶନ ଶକ୍ତିର କର୍ମକର୍ତ୍ତା ମାନେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ମିଶନଶକ୍ତି ଗୃହ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଗତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସ୍ଥିର କରାଯାଇଥିଲା ଯେ ନରସିଂହପୁର ଗ୍ରାମପଂଚାୟତର ମିଶନଶକ୍ତି ଗୃହ ନିର୍ମାଣ ପଂଚାୟତର ମଧ୍ୟସ୍ଥଳି ଅର୍ଥାତ ଅଇନିପଡା ସେଦେ୍ଧଶ୍ୱର ମନ୍ଦିର ପାଖ ସରକାରୀ ଜମିରେ ନିର୍ମାଣ କରାଯିବ । ସେହିଠାରେ ଗୃହ ନିର୍ମାଣ ହେଲେ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସମସ୍ତ ସଦସ୍ୟାମାନେ ଉପକୃତ ହୋଇପାରିବେ । ଏବେ କେତେକ ଖଳ ପ୍ରକୃତିର ଲୋକ ମିଶନଶକ୍ତି ଗୃହ ନିର୍ମାଣ ସ୍ଥାନକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଥିବା ଜାଣିବା ପରେ ନରସିଂହପୁର ଗ୍ରାମପଂଚାୟତର ସହଦେବ ବାବା ମହିଳା ମହାସଙ୍ଘ ମିଶନ ଶକ୍ତିର ସଦଦସ୍ୟାମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ସ୍ଥାନ ପରିବର୍ତ୍ତନ କରାନଯିବା ପାଇଁ ନିବେଦନ କରିଛନ୍ତି । ଜିଲ୍ଲାପାଳ ଏସମ୍ପର୍କରେ ସଂପୃକ୍ତ କତ୍ତୃପକ୍ଷଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି । ସହଦେବ ବାବା ମହିଳା ମହାସଙ୍ଘ ମିଶନ ଶକ୍ତି ପକ୍ଷରୁ ଦମୟନ୍ତୀ ଗିରୀଙ୍କ ନେତୃତ୍ୱରେ ଶତାଧିକ ମହିଳା ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।


