ଜୁଆ ଆଡ୍ଡା ଉପରେ ଚଢାଉ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ତିରୁଣା ପଂଚାୟତସ୍ଥିତ ଉର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛପଟେ ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ୩ଜଣ ଗିରଫ କରାଯାଇଥିବା ବେଳେ ଏକ ମୁଠା ତାସ ସହିତ ୧୫୭୦ଟଙ୍କା ମଧ୍ୟ ଜବତ କରାଯାଇଛି । ସୂଚନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ଉର ଗ୍ରାମର ଉର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଛପଟେ ଜୁଆ ଖେଳ ହେଉଥିବା ସୂଚନା ମିଳିଥିଲା । ଆଇଆଇସି ଗୋବର୍ଦ୍ଧନ ସାହୁଙ୍କ ସହିତ ଏସଆଇ ପ୍ରତାପ କୁମାର ଦାଶ,ଏଏସଆଇ ଅଶୋକ ମହାନ୍ତିଙ୍କ ସହିତ ବିକ୍ରମ ସ୍ୱାଇଁ ସଦଳବଳେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ସମସ୍ତ ଖେଳାଳି ଦୌଡି ପଳାଉଥିବା ବେଳେ ପୋଲିସ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିବା ସହିତ ଏକ ମୁଠା ତାସ ଓ ୧୫୭୦ଟଙ୍କା ଜବତ କରିଥିଲା । ଗିରଫ ହୋଇଥିବା ତିନି ଜଣ ଜୁଆଡି ହେଲେ ପ୍ରଶାନ୍ତ କୁମାର ନାୟକ, ରୁଲୁ ସେଠୀ, ଜଗବନ୍ଧୁ ସ୍ୱାଇଁ ବୋଲି ଜଣାଯାଇଛି । ପୋଲିସ ପକ୍ଷରୁ ୧୦୪/୨୦୨୦ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗିରଫ ହୋଇଥିବା ତିନି ଜଣ ଜାମିନରେ ଯାଇଥିବା ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।