ପରୀକ୍ଷା ୨୦ରେ, ୧୮ରେ ବିଦ୍ୟାଳୟରେ ପହଞ୍ଚିଲା ପାଠ୍ୟପୁସ୍ତକ
ନାଉଗାଁ (ଓ୍ବାଇଏନଏସ): ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ର କାର୍ଯ୍ୟାନ୍ୱୟନ ଓ ପାଠ୍ୟପୁସ୍ତକ ଯୋଗାଣକୁ ନେଇ ନାଉଗାଁ ବ୍ଲକରେ ପ୍ରଶ୍ନ ଉଠିଛି। ଆସନ୍ତା ୨୦ ତାରିଖରେ ‘ଉଲ୍ଲାସ’ ପରୀକ୍ଷା ହେବାକୁ ଥିବାବେଳେ ୧୮ ତାରିଖରେ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବିଦ୍ୟାଳୟଗୁଡ଼ିକ ପାଇଁ ପାଠ୍ୟପୁସ୍ତକ ନିଆଯାଉଥିବା ଦେଖାଯାଇଛି। ‘ଉଲ୍ଲାସ’ ଅଧୀନରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ଅଣସାକ୍ଷରଙ୍କୁ ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ, ଜୀବନଦକ୍ଷତା, ବୃତ୍ତିଗତ ଦକ୍ଷତା ଓ ନିରନ୍ତର ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି। ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରଶିକ୍ଷଣ, ସମ୍ବଳ ବ୍ୟକ୍ତି ଓ ଭଲ୍ୟୁଣ୍ଟିୟର ଶିକ୍ଷକଙ୍କ ନିୟୋଜନ ସହ ପାଠ୍ୟସାମଗ୍ରୀ ଯୋଗାଣର ବ୍ୟବସ୍ଥା ରହିଛି।ତେବେ ପରୀକ୍ଷାର ମାତ୍ର ଦୁଇଦିନ ପୂର୍ବରୁ ପୁସ୍ତକ ଯୋଗାଣ ହେଉଥିବାରୁ ଏହାର ସମୟୋପଯୋଗୀ ବଣ୍ଟନକୁ ନେଇ ଶିକ୍ଷକ ଓ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି। ଏହାସହ ଶିକ୍ଷକମାନେ ନିଜ ନିୟମିତ ଶିକ୍ଷାଦାନ କାର୍ଯ୍ୟ ଛାଡ଼ି ବର୍ଷା ମଧ୍ୟରେ ବିଇଓ କାର୍ଯ୍ୟାଳୟରୁ ପୁସ୍ତକ ନେଉଥିବା ଦୃଶ୍ୟ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏ ସମ୍ପର୍କରେ ବ୍ଲକ୍ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ବଡ଼ପଣ୍ଡାଙ୍କୁ ପଚାରିବାରୁ, କାର୍ଯ୍ୟକ୍ରମରେ ନୂତନ ଭାବେ ସାମିଲ ହୋଇଥିବା ଶିକ୍ଷାର୍ଥୀଙ୍କ ପାଇଁ ପୁସ୍ତକ ଯୋଗାଇ ଦିଆଯାଉଥିବା ସେ କହିଥିଲେ। ନୂତନ ଭାବେ ନାମ ପଞ୍ଜୀକରଣ କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ହିଁ ପୁସ୍ତକ ନିଆଯାଉଛି ବୋଲି ସେ ସ୍ପଷ୍ଟ କରିଥିଲେ। ତେବେ ପରୀକ୍ଷାର ଦୁଇଦିନ ପୂର୍ବରୁ ପୁସ୍ତକ ଯୋଗାଣର ଆବଶ୍ୟକତା କାହିଁକି ପଡ଼ିଲା, ପୁସ୍ତକ ବଣ୍ଟନ ପ୍ରକ୍ରିୟା କିପରି ହୋଇଛି ଏବଂ ଏଥିରେ କେଉଁ ସ୍ତରରେ ବିଳମ୍ବ ଘଟିଛି, ତାହା ତଦନ୍ତ କରି ସ୍ପଷ୍ଟ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।ସୂଚନାଯୋଗ୍ୟ, ନାଉଗାଁ ବ୍ଲକରେ ମୋଟ ୨୮୫୨ ଜଣ ଶିକ୍ଷାର୍ଥୀ ‘ଉଲ୍ଲାସ’ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ୭୮ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ ବୋଲି ଜଣା ପଡିଛି |


