ପାଞ୍ଚ ଦିନରେ ୭୫୦ମିଟର ପାହାଡ଼ ଖୋଳି ଚାଷ ଜମିକୁ ପାଣି ଆଣିଲେ ଗ୍ରାମବାସୀ

ସହାୟତାର ହାତ ବଢ଼ାଇଲା ସବୁଜ ବୈଦ୍ୟ ସଂଗଠନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ରାୟ ୭୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ହେଲେ ଚାଷ ଉପରେ ନିର୍ଭର କରୁଥିଲେ ସୁଦ୍ଧା ଅଞ୍ଚଳରେ ଥିବା ଜମି ଗୁଡିକରେ ସରକାରଙ୍କ ପକ୍ଷରୁ ଜଳସେଚନର ସୁବ୍ୟବସ୍ଥା ନଥିବା ଯୋଗୁଁ ଲୋକେ ବର୍ଷସାରା ଚାଷ କରିବା ଅପେକ୍ଷା ଖାଲି ବର୍ଷା ଋତୁରେ ହିଁ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରୁଛନ୍ତି । ଅନ୍ୟ ଦିନ ମାନଙ୍କରେ ପାଣି ଅଭାବ ଯୋଗୁଁ ଜମି ପଡ଼ିଆ ପଡ଼ିଥାଏ । ଏହିଭଳି ସ୍ଥିତିରେ ଚାଷ ଜମିକୁ ସବୁଦିନିଆ ଜଳସେଚନ ନିମନ୍ତେ ଦାରିଙ୍ଗବାଡ଼ି ପଞ୍ଚାୟତ ଗୁହିବାଡ଼ି ଗ୍ରାମବାସୀ ମାନେ ନିଜର ସ୍ୱେଚ୍ଚାକୃତ ଶ୍ରମଦାନ କରି ଅକ୍ଲାନ୍ତ ପରିଶ୍ରମ ବଳରେ ପ୍ରାୟ ୭୫୦ ମିଟର କେନାଲ ପର୍ଯ୍ୟନ୍ତ ପାହାଡ଼ର ମାଟି ଖୋଳିବା ସହିତ ପାହାଡ଼ ଫଟାଇ କେନାଲ ନିର୍ମାଣ କରି ଚାଷ ଜମିକୁ ପାଣି ଆଣି ଚାଷ ଜମିରେ ଜଳସେଚନ କରିଥିବା ଦେଖିବାକୁ ମିଳିଛି । ଗ୍ରାମର ପାଟାଙ୍ଗୀ ପାହାଡ଼ ଠାରୁ ଗୁହିବାଡ଼ି ଗ୍ରାମ ପର୍ଯ୍ୟନ୍ତ ପାହାଡ଼ ଫଟାଇ ଗ୍ରାମର ୩୫ ପରିବାର ଲୋକ ମିଳିମିଶି ଏକାଠି ହୋଇ ୫ ଦିନରେ ୭ଶହ ୫୦ ମିଟର କେନାଲ ନିର୍ମାଣ କରି ଚାଷ ଜମିକୁ ଜଳଯୋଗାଣର ସୁବିଧା କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ତେବେ ଏହି ନିର୍ମାଣ କାର୍ଯ୍ୟରେ ମନରେଗା ଯୋଜନାରେ ରାଜ୍ୟ ସରକାରଙ୍କର ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ ।ଏହି କେନାଲ ନିର୍ମାଣ ଦ୍ୱାରା ଗୁହିବାଡ଼ି ଗ୍ରାମର ୩୫ରୁ ଉର୍ଦ୍ଧ ପରିବାର ଉପକୃତ ହେଉଥିବା ବେଳେ ପ୍ରାୟ ୨ଶହ ଏକର ଜମିକୁ ଜଳ ଯୋଗାଣ ହୋଇ ପାରିବ ବୋଲି ଗ୍ରାମର ମିଙ୍କି ପ୍ରଧାନ, ଦିନେସ ପ୍ରଧାନ, ପୁଷ୍ପିତା ପ୍ରଧାନ, ଶୁନୀତା ପ୍ରଧାନ, ଶ୍ୟାମଚନ୍ଦ୍ର ପ୍ରଧାନ,ପ୍ରତିମା ପ୍ରଧାନ,ସରିତା ପ୍ରଧାନ, ଅଶେଷ ପ୍ରଧାନ, ତୁଷାରକାନ୍ତ ପ୍ରଧାନ ଓ ଉର୍ମିଳା ପ୍ରଧାନ ପ୍ରମୁଖ ମତପ୍ରକାଶ କରିଛନ୍ତି । ସୂଚନା ପ୍ରକାରେ ଗ୍ରାମରେ ୬୫ ପରିବାରର ୩୫୦ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ଗ୍ରାମରେ ଶହଶହ ଏକକର ଚାଷ ଜମି ରହିଥିବା ସତ୍ୱେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ କୌଣସି ପ୍ରକାରର ବ୍ୟବସ୍ଥା ନାହିଁ । ଗ୍ରାମବାସୀ ମାନେ ବର୍ଷା ଜଳ ଉପରେ ହିଁ ନିର୍ଭର କରିଥାନ୍ତି । ତେବେ ୭ବର୍ଷ ପୁର୍ବେ ଗ୍ରାମରେ ଜଳଛାୟା ଦ୍ୱାରା କେନାଲ ନିର୍ମାଣ କରାଯାଇଥିଲା କିନ୍ତୁ ତାହା ବର୍ଷକ ମଧ୍ୟରେ ସମ୍ପୁର୍ଣ୍ଣ ଭାବରେ ପୋତି ହୋଇଯାଇଥିଲା । ଗ୍ରାମବାସୀମାନଙ୍କ ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସବୁଜ ବୈଦ୍ୟ ସଂଗଠନର ସ୍ପାଦକ ଦୀନବନ୍ଧୁ ମହାରଣା ଏବଂ ଦିଲ୍ଲୀ ସ୍ଥିତ ଗୁଂଜ ଅନୁଷ୍ଠାନର ସହାୟତାରେ ଗ୍ରାମବାସୀମାନେ ମିଶି କେନାଲ ଖୋଳିବା କାମ ଆରମ୍ଭ କରିଥିଲେ । ଆଗାମୀ ଦିନରେ ପୁଣି କେନାଲ ଖୋଳା ଯାଇ ଗାଁରେ ଥିବା ଅନ୍ୟ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ