ରୁପେ ପ୍ଲାଟଫର୍ମରେ ଆଇଆରସିଟିସି-ଏସ୍‌ବିଆଇର ନୂଆ କୋ-ବ୍ରାଣ୍ଡେଡ କଣ୍ଟାକ୍ଟଲେସ୍‌ କ୍ରେଡିଟକାର୍ଡ଼

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ, ଡିଜିଟାଲ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଲକ୍ଷ୍ୟପୂରଣ ଦିଗରେ ଭାରତୀୟ ରେଳବାଇକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭଶୀଳ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି । ଆଇଆରସିଟିସି ଏବଂ ଏସ୍‌ବିଆଇ କାର୍ଡ ପକ୍ଷରୁ କୋ-ବ୍ରାଣ୍ଡେଡ କଣ୍ଟାକ୍ଟଲେସ୍‌ ନୂଆ କ୍ରେଡିଟ କାର୍ଡ ରୁପେ ପ୍ଲାଟଫର୍ମରେ ପ୍ରଚଳନ ଆରମ୍ଭ କରିବା ଅବସରରେ ସେ କହିଛନ୍ତି ଯେ ରେଳବାଇ ବିଭିନ୍ନ ଉପାୟରେ ସାରା ଦୁନିଆ ସହ ସଂଯୁକ୍ତ ହୋଇ ନିଜକୁ ଦିନକୁ ଦିନ ମଜଭୁତ କରୁଛି । ଏହି ନୂଆ କଣ୍ଟାକ୍ଟଲେସ୍‌ କ୍ରେଡିଟ କାର୍ଡ ଦେଶର ଜନତାଙ୍କୁ ଉତ୍ତମ ସେବା ଯୋଗାଇ ପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଆମେ ଭାରତୀୟ ରେଳବାଇକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ଦୃଢ ପ୍ରତିଜ୍ଞ । ପ୍ରଧାନମନ୍ତ୍ରୀ ତାଙ୍କ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଯେଉଁ ଲକ୍ଷ୍ୟ ରଖିଛନ୍ତି ତଦନୁସାରେ ରେଳବାଇ କାର୍ଯ୍ୟ କରୁଛି । ଆଇଆରସିଟିସି- ଏସ୍‌ବିଆଇ କୋ-ବ୍ରାଣ୍ଡେଡ କାର୍ଡ ରୁପେ ପ୍ଲାଟଫର୍ମରେ ବ୍ୟବହୃତ ହେବା ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶବିଶେଷ । ଏହାଦ୍ୱାରା ଗ୍ରାହକମାନଙ୍କୁ ଏକ ନିରାପଦ କାରବାର ପରିବେଶ ଯୋଗାଇଦେଇ ହେବ । ଏହି ନୂଆ ରୁପେ କ୍ରେଡିଟ କାର୍ଡ ନିୟରଫିଲ୍ଡ କମ୍ୟୁନିକେସନ ଟେକ୍‌ନୋଲଜି ଏନ୍‌ଏଫ୍‌ସି ଦ୍ୱାରା ସମୃଦ୍ଧ । ବ୍ୟବହାରକାରୀ ଏହି କାର୍ଡକୁ ପିଏସ୍‌ଓ ମେସିନ୍‌ରେ କେବଳ ଟ୍ୟାପିଂ କରିଦେଲେ କାରବାର ବା ଟ୍ରାଞ୍ଜାକ୍ସନ ହୋଇପାରିବ । ଏହାକୁ ସ୍ୱାଇପ୍‌ କରିବାର ଆବଶ୍ୟକତା ପଡିବ ନାହିଁ । ନିୟମିତ ବା ବାରମ୍ବାର ଯାତ୍ରା କରୁଥିବା ରେଳଯାତ୍ରୀଙ୍କ ପାଇଁ ଏହି କାର୍ଡ ସ୍ୱତନ୍ତ୍ରଭାବେ ତିଆରି ହୋଇଛି । ଏଥିରେ ଖୁଚୁରା କାରବାର, ଖାନାପିନା ଏବଂ ମନୋରଂଜନ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଟ୍ରାଞ୍ଜାକ୍ସନ ଉପରେ ଦେୟ ପଡିବ ନାହିଁ । ଫଳରେ କାର୍ଡଧାରୀଙ୍କର ଖର୍ଚ୍ଚ ବହୁତ କମିଯିବ । ପ୍ରଥମ ଶ୍ରେଣୀ ଏସି, ଦ୍ୱିତୀୟ ଶ୍ରେଣୀ ଏସି, ତୃତୀୟ ଶ୍ରେଣୀ ଏସି, ଏକ୍‌ଜିକ୍ୟୁଟିଭ ଚେୟାର କାର୍‌ ଏବଂ ଏସି ଚେୟାର କାର୍‌ ପାଇଁ ଏହି କାର୍ଡ ମାଧ୍ୟମରେ ଆଇଆରସିଟିସି ୱେବରେ ଟିକେଟ ବୁକିଂ କଲେ ୧୦ ପ୍ରତିଶତ ଅର୍ଥ ଭ୍ୟାଲୁବ୍ୟାକ୍‌ ଆକାରରେ ମିଳିବ । ଏହାଛଡା ଅନ୍‌ଲାଇନ କାରବାର ଉପରେ କାର୍ଡଧାରୀଙ୍କୁ ମୋଟ କାରବାର ଅର୍ଥର ୧ ଶତାଂଶ ରିହାତି ପ୍ରଦାନ କରାଯିବ । ସେହିଭଳି ଏହି କାର୍ଡ ବ୍ୟବହାରକାରୀଙ୍କୁ ମଧ୍ୟ ୧ ଶତାଂଶ ଇନ୍ଧନ ସରଚାର୍ଜ ସୁବିଧା ସହିତ ବର୍ଷକୁ ୪ ଥର ରେଲୱେ ଷ୍ଟେସନର ପ୍ରିମିୟମ ଲାଉଞ୍ଜକୁ ମାଗଣାରେ ପ୍ରବେଶ ସୁବିଧା ମିଳିବ । କାର୍ଡ ବ୍ୟବହାରକାରୀ ଏହାକୁ ଆକ୍ଟିଭେଟ କରି ସର୍ବନିମ୍ନ ଖର୍ଚ୍ଚ କରିବା ପରେ ୩୫୦ ବୋନସ ରିୱାର୍ଡ ପଏଣ୍ଟ ପାଇବେ । ଅର୍ଜନ କରିଥିବା ସମସ୍ତ ରିୱାର୍ଡ ପଏଣ୍ଟକୁ ଆଇଆରସିଟିସି ୱେବସାଇଟରୁ ଟିକେଟ କିଣିବାବେଳେ ବ୍ୟବହାର କରାଯାଇପାରିବ । ରେଳଯାତ୍ରାରେ ଏହି ସଞ୍ଚୟ ବ୍ୟବସ୍ଥା ସହ ଆଇଆରସିଟିସି-ଏସ୍‌ବିଆଇ କାର୍ଡ ମଧ୍ୟ ଅନ୍‌ଲାଇନ ସପିଂ ପୋର୍ଟାଲରେ ବିଭିନ୍ନ ସୁବିଧା ମିଳିପାରିବ । ଇ-କମର୍ସ ସାଇଟରେ ସପିଂ କଲାବେଳେ ଏହି କାର୍ଡଧାରୀଙ୍କୁ ରିହାତି ମିଳିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏବେ ରୁପେର ମାର୍କେଟ ସେୟାର ବଢୁଛି ଏବଂ ଏହା କ୍ରମଶଃ ଲୋକପ୍ରିୟ ହେଉଛି । ତେଣୁ ଏହି ଆଇଆରସିଟିସି-ଏସ୍‌ବିଆଇ କାର୍ଡ ରୁପେ ୟୁଜରମାନଙ୍କ ପାଇଁ ସପିଂର ନୂଆ ସୁଯୋଗ ଦେଇଛି । ଏହି ପଦକ୍ଷେପ ଡିଜିଟାଲ ଇଣ୍ଡିଆ ପ୍ରୟାସର ଏକ ଅଂଶବିଶେଷ । ରେଳଯାତ୍ରୀଙ୍କୁ ନିରାପଦ, ସୁବିଧାଜନକ ଓ ଉନ୍ନତ ଯାତ୍ରା ସୁବିଧା ଯୋଗାଇଦେବା ଏହାର ଲକ୍ଷ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ