ଗାଁକୁ ଅଡୁଆ କ୍ୱାକ, କରୋନା ଲକ୍ଷଣ ରୋଗୀଙ୍କୁ ଦେଉଛନ୍ତି ଔଷଧ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ସଂକ୍ରମଣ ସମୟରେ ଏବେ କ୍ୱାକ ମାନେ ଅଡୁଆ ସାଜିଛନ୍ତି। ଗାଁରେ ଥିବା କ୍ୱାକ ମାନେ ସ୍ଥାନୀୟ ରୋଗୀ ମାନଙ୍କ ଚିକିତ୍ସା କରୁଥିବା ବେଳେ ଏମାନଙ୍କ ପାଇଁ କରୋନା ସଂକ୍ରମଣ ବଢିବାର ଯଥେଷ୍ଟ ସମ୍ଭାବନା ରହିଥିବା ଅଭିଯୋଗ ହୋଇଛି । ବେଆଇନ ଭାବେ ଔଷଧ ଦୋକାନମାନଙ୍କରେ କାମ କରି ବା ଅନ୍ୟସୂତ୍ରରୁ ଜ୍ଞାନ ଆରୋହଣ କରି ଡାକ୍ତର ସାଜି ବସିଥିବା ଏହି କ୍ୱାକମାନଙ୍କ ଚାହିଦା ଏବେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ।କରୋନା କଟକଣା ଯୋଗୁ ଗାଡିମଟର ବନ୍ଦ ରହୁଛି। ଯାତାୟାତରେ ଅନେକ ସମସ୍ୟା ଦେଖାଦେଇଛି। ଏପରିକି କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଡାକ୍ତରଖାନା କିମ୍ବା ଅନ୍ୟ କୈାଣସି ସିଏଚସି, ପିଏଚସିକୁ ଯିବା ପାଇଁ ଲୋକେ ନାରାଜ। ସଂକ୍ରମଣ ଭୟ ରହିଥିବାରୁ ସାମାନ୍ୟ କାଶ, ଜ୍ୱର କିମ୍ବା ଥଣ୍ଡା ହେଲେ ଲୋକେ ନିଜ ହିସାବରେ ଔଷଧ କିଣି ଆଣି ଖାଉଥିବା ଦେଖିବାକୁ ମିଳିଛି। ଜ୍ୱର, କାଶ, ଥଣ୍ଡା, ଗଳା ଦରଜ କରୋନା ସଂକ୍ରମଣର ଲକ୍ଷଣ ହୋଇଥିବାରୁ ଲୋକେ ଡାକ୍ତର ପାଖକୁ ଯିବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରିଛନ୍ତି। ଏହାର ସୁଯୋଗ ନେଉଛନ୍ତି ଗାଁ ମାନଙ୍କରେ ଥିବା କ୍ୱାକ ମାନେ। କନ୍ଧମାଳ ଜିଲାର ବିଭିନ୍ନ ଗାଁ, ଆଭ୍ୟନ୍ତରୀଣ ଅଞ୍ଚଳରେ ଏହି କ୍ୱାକ ମାନଙ୍କ ଚାହିଦା ଏବେ କାହିଁରେ କେତେ। ଅନ୍ୟ କୈାଣସି ସୂତ୍ରରୁ ଔଷଧ ଉପରେ ସାମାନ୍ୟ ଜ୍ଞାନ ଆରୋହଣ କରି ଏହି କ୍ୱାକ ମାନେ ଗାଁ ମାନଙ୍କରେ ଡାକ୍ତର ସାଜିଥାନ୍ତି । ଗାଁରେ ସାମାନ୍ୟ ରୋଗରେ ପଡିଥିବା ରୋଗୀ ମାନଙ୍କୁ ଔଷଧ ଦେଇ ନିଜ ପକେଟ ଗରମ କରିବାରେ ଲାଗିଛନ୍ତି। ଏମିତି କରି ଗାଁକୁ ବିପଦ ଡାକିଆଣୁଥିବା ଅଭିଯୋଗ ହୋଇଛି। କାଶ, ଥଣ୍ଡା, ଗଳାଦରଜ, ଜ୍ୱରର ରୋଗୀ ମାନଙ୍କୁ ଚିରାଚରିତ ଔଷଧ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି। ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାେରେ ଜିଲାରେ ବିନା କୈାଣସି ଶିକ୍ଷାଗତ ଯୋଗ୍ୟତା ନଥାଇ ରୋଗର ଚିକିତ୍ସା କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିବା ସତ୍ତ୍ବେ ଗାଁ ରେ କ୍ୱାକଙ୍କ ଠାରେ ଭିଡ ଦେଖିବାକୁ ମିଳିଛି। କରୋନା କଟକଣା ଏମାନଙ୍କ ପାଇଁ ଏକ ବଡ ସୁଯୋଗ ସୃଷ୍ଟି କରିଥିବା ବେଳେ ଏଥିରେ ଲଗାମ ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଅନ୍ୟପକ୍ଷରେ ଜିଲାରେ ଥିବା ସିଏଚସି, ପିଏଚସି ମାନଙ୍କରେ ଆବଶ୍ୟକ ଡାକ୍ତର ନଥିବାରୁ ମଧ୍ୟ ରୋଗୀ ମାନେ ବାଧ୍ୟ ହୋଇ ଏହି କ୍ୱାକ ମାନଙ୍କ ଭରସାରେ ରହୁଥିବା ଜଣାପଡିଛି। ଅନ୍ୟ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କୋଭିଡ ଦାୟିତ୍ୱରେ ନିୟୋଜିତ କରାଯାଇଥିବାରୁ ସେମାନେ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅସମର୍ଥ ରହିଛନ୍ତି। ନାମକୁ ମାତ୍ର ଡାକ୍ତରଖାନା ଜିଲାରେ ଚାଲୁଥିବା ବେଳେ ଏହି କ୍ୱାକ ଚିକିତ୍ସା ବ୍ୟବସ୍ଥା ଜିଲାରେ ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିବାର ସମ୍ଭାବନା ଦେଖାଦେଇଛି। ଏନେଇ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ