ମାନ୍ୟବର ପଂଚାୟତିରାଜ ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ବାଲେଶ୍ୱର, (ସରୋଜ କୁମାର ପଣ୍ଡା):ମାନ୍ୟବର ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଦିନିକିଆ ବାଲେଶ୍ୱର ଗସ୍ତରେ ଆସି ଜିଲ୍ଲାର କୋଭିଡ୍-୧୯ ପରିଚାଳନା ସାଙ୍ଗକୁ ସରକାରୀ ଯୋଜନା କାର୍ଯ୍ୟକାରିତା ନେଇ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସ ପରିସରରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନନ୍ତ ଦାସ, ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ବାଲେଶ୍ୱର ଉପ-ଜିଲ୍ଳାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ମାନ୍ୟବର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନା, ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ଦାଶ, ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ ଆଲୋକ କୁମାର ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ରହି ସହର ସମେତ ଜିଲ୍ଲାର ବିକାଶରେ କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ସାମ୍ପ୍ରତିକ ମହାମାରୀ ସମୟରେ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସବୁ ମହଲରୁ ସହଯୋଗ ପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ଗୁରୁତ୍ୱାରୋପ କରିଥିଲେ । ଦିନକୁ ଦିନ ବଢ଼଼ି ଚାଲିଥିବା କରୋନା ସଂକ୍ରମଣ ରୋକିବା ଓ ଅତ୍ୟନ୍ତ ସଂକଟପନ୍ନ ରୋଗୀଙ୍କ ଚିକିତ୍ସା ପାଇଁ ବାଲେଶ୍ୱରରେ ପ୍ଲାଜମା ସଂଗ୍ରହ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ଓ ପ୍ଲାଜମା ଥେରାପି ଚିକିତ୍ସା ଉପରେ ସେ ଜୋର ଦେଇଥିଲେ । ସେହିପରି ବାଲେଶ୍ୱର ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରିତ ଥିଲେ ହେଁ ଆଗକୁ ଏହାର ସୁପରିଚାଳନା କରିବା ଏବଂ ଜନସାଧାରଣଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ପାଇଁ ବ୍ୟାପକ ସଚେତନ କରିବାକୁ ସେ କହିଥିଲେ । ଜିଲ୍ଲାରେ ସ୍ୱଚ୍ଛତା ରକ୍ଷା ସାଙ୍ଗକୁ ଗ୍ରାମାଂଚଳରେ ପ୍ରତ୍ୟେକ ଘରେ ପାନୀୟ ଜଳ ଯୋଗାଣ ନିମନ୍ତେ ମେଗା ୱାଟର ସପ୍ଲାଇ ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ଓ ବାଲେଶ୍ୱର ସହରରେ ୨୦,୭୭୭ ପରିବାରକୁ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାଲେଶ୍ୱର ସହରରେ ଅମୃତ ଯୋଜନାରେ କାର୍ଯ୍ୟକାରୀ ୧୦ ଗୋଟି ପ୍ରକଳ୍ପରୁ ୭ ଗୋଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ୩ ଟି ଖୁବଶୀଘ୍ର ଶେଷ କରିବାକୁ ସେ କହିଥିଲେ । ତେବେ ସହରରେ ପାଇପ୍ ବିଛାଇବା କାର୍ଯ୍ୟରେ ନଷ୍ଟ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି ପାଇଁ ସେ ପୂର୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବାଲେଶ୍ୱର ପୌରାଂଚଳରେ କୋଟିଏ ଲେଖାଏଁ ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶ୍ମଶାନ ଓ ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ । ଏଥି ସହିତ ବାଲେଶ୍ୱର ସହରର ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସେ କହିଥିଲେ । ସହରର ବିଭିନ୍ନ ଅଂଚଳରେ ୫ ଗୋଟି ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଂଟ ଓ ୫ ଗୋଟି ମେଟେରିଆଲ ରିକୋଭରିଂ ପ୍ଲାଂଟ ସ୍ଥାପନ ପ୍ରକ୍ରିୟା ଜାରି ରହିଛି । ସେହିପରି ନୂଆବଜାର ମାର୍କେଟର ସମ୍ପୂର୍ଣ୍ଣ ନବୀକରଣ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତି ଏବଂ ଏମଜିନରେଗା ଯୋଜନାରେ ବିଭିନ୍ନ ସ୍କୁଲରେ ପାର୍କ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି । ଏହା ବ୍ୟତୀତ ବଲେଶ୍ୱର ସହରର ୪ ଗୋଟି ମୁଖ୍ୟ ରାସ୍ତା ଯଥା ଆଇଟିଆଇଛକରୁ ତାମୁଳିଆ, ବିଦ୍ୟୁତ୍ ମାର୍ଗରୁ ଶୋଭାରାମପୁର ରେଲୱେ ଗେଟ୍, ସହଦେବଖୁଂଟା ଓଭରବ୍ରିଜ୍ରୁ ସହଦେବଖୁଂଟା ଦୁର୍ଗାମଣ୍ଡପ ଏବଂ ସହଦେବଖୁଂଟା ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟଠାରୁ ସୂରଜ ହୋଟେଲ ପର୍ଯ୍ୟନ୍ତ ରାସ୍ତାରେ ନୂତନ ଭାବେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରଡବ୍ଲ୍ୟୁ ଏସଏସ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଏସବି ମହାପାତ୍ର, ନିୀର୍ବାହୀ ଯନ୍ତ୍ରୀ ଶ୍ରୀ ସୁରେଶ ଚନ୍ଦ୍ର ରାଉତ, ଜନସ୍ୱାସ୍ଥ୍ୟ ବିଭାଗ ମୁଖ୍ୟଯନ୍ତ୍ରୀ ଶ୍ରୀ ବସନ୍ତ କୁମାର ସେନାପତି, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରମୋଦ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ଶ୍ରୀ ପରେଶ୍ୱର ଜେନା ପ୍ରମୁଖ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହି ବିଭାଗୀୟ ତଥ୍ୟ ଉପସ୍ଥାପନ କରିଥିଲେ ।